ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ ଟୋକି ମରା ବା ‘ଟୋକି ପର୍ବ’ ଅନୁଷ୍ଠିତ ହେବ। ଧରଣୀ ମାତାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଗ୍ରାମର ସମୂହ ମଙ୍ଗଳ ପାଇଁ ବ୍ଲକର ବିଭିନ୍ନ ସ୍ଥାନରେ ହଜାର ହଜାର ଅଧିବାସୀ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଯାଉଛି। ଏହି ପ୍ରାଚୀନ ପର୍ବକୁ ସୁଚାରୁରୂପେ ପାଳନ କରିବା ପାଇଁ ପର୍ବ ପାଳନ କମିଟି, ଯୁବ ଅନୁଷ୍ଠାନ ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।

ସୂଚନା ଅନୁଯାୟୀ, ରବିବାର ଗୋପାଳପୁର ପଞ୍ଚାୟତ ସ୍ଥିତ ବେନ୍ଦାଝୋଲା, ତଲଝାପି ପଞ୍ଚାୟତର ମସ୍କାଗୁଡ଼ା (ମୁନୁଷ୍ପଡ଼ା) ଏବଂ ମହୁଲ ପାଟଣା ପଞ୍ଚାୟତର ଟିକିଲି ପଦର ଗ୍ରାମରେ ଏହି ବଡ଼ପର୍ବ ପାଳିତ ହେବ। ଶନିବାର ରାତିରୁ ହିଁ ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ଭାଇ ଭଉଣୀମାନେ ପାରମ୍ପରିକ ବେଶଭୂଷା ଓ ଅସ୍ତ୍ରଶସ୍ତ୍ର ଧରି ଉକ୍ତ  ଗ୍ରାମଗୁଡ଼ିକରେ ପହଞ୍ଚି ସାରିଛନ୍ତି। ରାତିସାରା ଧରଣୀ ପେନୁ ବା ଧରଣୀ ଗୁଡ଼ି ପରିକ୍ରମା କରିବା ସହ ଢାପ ଓ ସଲପ ନିଶାଣର ତାଳେ ତାଳେ ନାଚଗୀତରେ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ପୂର୍ବରୁ ଏହି ପର୍ବରେ ନରବଳି ବା ‘ମେରିଆ ବଳି’ ପ୍ରଥା ରହିଥିବା ବେଳେ ଏବେ ତାହା ‘ଟୋକି’ (ଗଡର) ବଳିରେ ପରିଣତ ହୋଇଛି। ଗ୍ରାମର ମୁଖ୍ୟ ପୂଜକ ବା ‘ଜାନି’ଙ୍କ ନେତୃତ୍ୱରେ ଦିଶାରି, ରାପିଆ, ବେଜୁ ଏବଂ ଗୌଡ ପ୍ରମୁଖଙ୍କ ଉପସ୍ଥିତିରେ ଧରିତ୍ରୀ ମାତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୱତନ୍ତ୍ର ପୂଜାର୍ଚ୍ଚନା ପରେ ରକ୍ତ ଅର୍ପଣ କରାଯିବାର ବିଧି ରହିଛି। ଗ୍ରାମର ମଙ୍ଗଳ ଏବଂ ଉତ୍ତମ ଶସ୍ୟ ଅମଳ କାମନା କରି ଆଦିବାସୀମାନେ ଏହି ନିଆରା ପରମ୍ପରାକୁ ବହୁ ବର୍ଷ ଧରି ବଞ୍ଚାଇ ରଖିଛନ୍ତି। ବଳି ପରେ ପ୍ରସାଦକୁ ପରିବାର ମଧ୍ୟରେ ବଣ୍ଟନ କରାଯିବା ସହ ଜମିରେ ପୋତିବାର ପରମ୍ପରା ମଧ୍ୟ ରହିଛି। ଏହା ସହ ଆସନ୍ତା ଜାନୁଆରୀ ୪ ତାରିଖରେ କାଣିଗୁମା (ଚାଚିକନା), ଗୁଣପୁର ସଦର, ଶେରପଦର୍‌ ଏବଂ ନାକରୁଣ୍ଡି (ତୂରୀ ଭେଜିଗୁଡ଼ା) ଠାରେ ମଧ୍ୟ ଏହି ପର୍ବ ପାଳିତ ହେବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପର୍ବ ପାଳନ କମିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସଜାଗ ଦୃଷ୍ଟି ରଖାଯାଇଛି।

Dharitri – Odisha’s No.1 Odia Daily

Share