ପ୍ରିୟଙ୍କାଙ୍କ ସହ ଜ୍ୟୋତି ବୁଲିଥିଲେ କୋଣାର୍କ-ଚିଲିକା, କେଉଁ ହୋଟେଲରେ କାହା ସହ…

ପୁରୀ,୨୩ା୫(ଅଜିତ୍‌ କୁମାର ମହାନ୍ତି):  ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କ ସହ ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ୍‌ ଘଟଣାର ତଦନ୍ତ ଗୁରୁବାର ୬ଷ୍ଠଦିନରେ ପହଞ୍ଚତ୍ଛି। ଜ୍ୟୋତି ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ରହିଛି, ଆୟର ସୂତ୍ର, ବାହାରୁ କେଉଁଠୁ ଟଙ୍କା ଆସିଛି କି ନାହିଁ ଆଦି ବିଭିନ୍ନ ଦିଗକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ସେହିପରି ଗତବର୍ଷ ସେପ୍ଟେମ୍ବର ୨୧ରେ ଜ୍ୟୋତି ପୁରୀ ଆସିଥିବାବେଳେ ପ୍ରିୟଙ୍କାଙ୍କ ସହ କେଉଁ ସବୁ ସ୍ଥାନକୁ ବୁଲିଯାଇଥିଲେ ଓ କ’ଣ କରିଥିଲେ ସେ ନେଇ ମଧ୍ୟ ଖୋଳତାଡ଼ କରୁଛି ପୋଲିସ। ପୁରୀରେ ଜ୍ୟୋତି କେଉଁ ହୋଟେଲରେ ରହିଥିଲେ ଓ ତାଙ୍କ ସହ ଆଉ କିଏ ଥିଲେ, ତାଙ୍କ ପାଇଁ କିଏ ରୁମ୍‌ ବୁକ୍‌ କରିଥିଲେ ଏବଂ ଶ୍ରୀମନ୍ଦିର ଉପରେ ଜ୍ୟୋତି ଡ୍ରୋନ୍‌ ଉଡ଼ାଇବା ଘଟଣାରେ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ଚାଲିଛି। ତଦନ୍ତ ଯେତିକି ଆଗଉଛି, ଗୋଟିଏ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜ୍ୟୋତି କେବଳ ପୁରୀ ନୁହେଁ, ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ଚିଲିକା ମଧ୍ୟ ବୁଲିଥିବା ଜଣାପଡ଼ିଛି। ଏପରିକି ଏ କ୍ଷେତ୍ରରେ ଜ୍ୟୋତିଙ୍କୁ ପ୍ରିୟଙ୍କା ସହଯୋଗ କରିଥିବା ଚର୍ଚ୍ଚା ହେଉଛି। ଏହି ଘଟଣାକୁ ପୋଲିସ ଅଧିକ ଗୁରୁତ୍ୱର ସହ ନେଇ ସବିଶେଷ ତଥ୍ୟ ହାସଲ ପାଇଁ ଉଦ୍ୟମ ଚଳାଇଛି। ଏ ସଂକ୍ରାନ୍ତରେ ୟୁଟ୍ୟୁବର ପ୍ରିୟଙ୍କାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିବା ଶୁଣିବାକୁ ମିଳୁଛି। ପ୍ରିୟଙ୍କାଙ୍କ ଦ୍ୱାରା ଶୁଟ୍‌ କରାଯାଇଥିବା ସମସ୍ତ ଭିଡିଓକୁ ଆଧାରକରି ତଦନ୍ତ ହେଉଥିବା ସୂଚନା ମିଳିଛି। ଉଭୟ ମିଶି ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଯାଇଥିବା ଜଣାପଡ଼ିଛି। ତେଣୁ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ବାବଦରେ ପୋଲିସ ଖୋଳତାଡ଼ କରୁଛି। ସେହିପରି ଜ୍ୟୋତିଙ୍କଠାରୁ ପ୍ରିୟଙ୍କା ଆର୍ଥିକ ଫାଇଦା ପାଇଛନ୍ତି କି ନାହିଁ ସେ ନେଇ ତାଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନର ତର୍ଜମା ଚାଲିଛି। ପ୍ର୍ରିୟଙ୍କାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ପୋଲିସ ମନିଟରିଂ କରୁଛି। ଘଟଣା ପରଠୁ ପ୍ରିୟଙ୍କା ଓ ତାଙ୍କ ପରିବାର ଲୋକେ ଘରୁ ବାହାରୁ ନ ଥିବାବେଳେ କାହା ସହ ମିଳାମିଶା ମଧ୍ୟ କରୁନାହାନ୍ତି। ତେବେ ପୋଲିସ ଓ ଅନ୍ୟ ସଂସ୍ଥାକୁ ତଦନ୍ତରେ ସହଯୋଗ କରୁଥିବା ଜଣାପଡ଼ିଛି। ପୂର୍ବରୁ ପ୍ରିୟଙ୍କା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ସଫେଇ ଦେଇଥିଲେ। ସେହିପରି ତାଙ୍କ ବାପା ରାଜକିଶୋର ସେନାପତି ମଧ୍ୟ ପ୍ରିୟଙ୍କା ନିର୍ଦ୍ଦୋଷ ବୋଲି ଗଣମାଧ୍ୟମରେ କହିଥିଲେ। ଅପରପକ୍ଷରେ ତଦନ୍ତ ଶେଷ ପରେ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ସୂଚନା ଦିଆଯିବ ବୋଲି ଏସ୍‌ପି ବିନିତ ଅଗ୍ରଓ୍ବାଲ କହିଛନ୍ତି। ଘଟଣାକୁ ୬ଦିନ ବିତିଯାଇଥିଲେ ମଧ୍ୟ ତଦନ୍ତ କେତେଦୂର ଆଗେଇଲା, ସେ ସମ୍ପର୍କରେ ପୋଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଉ ନ ଥିବାରୁ ଜନସାଧାରଣ ସନ୍ଦେହ ପ୍ରକାଶ କଲେଣି।

Share