ଡିସେମ୍ବର ୫ରେ ମିଥୁନ ରାଶିକୁ ବୃହସ୍ପତିଙ୍କ ବକ୍ର ଚଳନ: ଏସବୁ ରାଶିକୁ ଶୁଭ, ପୁରାଣ ଅନୁସାରେ ଚିନ୍ତା ବଢ଼ିଲା

ଆସନ୍ତା ଡିସେମ୍ବର ୫ ତାରିଖ ସନ୍ଧ୍ୟା ୫.୧୭ ମିନିଟ୍‌ରେ ଦେବଗୁରୁ ବୃହସ୍ପତି ମିଥୁନ ରାଶିର ପୁନର୍ବସୁ ନକ୍ଷତ୍ରକୁ ବକ୍ର ଚଳନ କରିବେ। ଜ୍ୟୋତିଷମାନଙ୍କ କହିବା ଅନୁଯାୟୀ, ପୁରାଣ ଅନୁସାରେ ବୃହସ୍ପତିଙ୍କ ଏହି ଚଳନ ପୂର୍ବରୁ ବହୁ ଅଶୁଭ ଫଳ ଦେଇଆସିଛି। କିମ୍ବଦନ୍ତୀ ଅନୁସାରେ, ଜନ୍ମ ବୃହସ୍ପତିରେ ରାମଚନ୍ଦ୍ରଙ୍କ ବନବାସ, ଷଷ୍ଠ ବୃହସ୍ପତିରେ କର୍ଣ୍ଣ ବଧ ଏବଂ ଦ୍ୱାଦଶ ବୃହସ୍ପତିରେ ସଗର ରାଜା ପତନ ସଦୃଶ ଅଶୁଭଫଳ ମିଳିଥିଲା।

ତେବେ ଜ୍ୟୋତିର୍ବିତଙ୍କ ଗଣନା ଅନୁସାରେ, ଏହି ଚଳନରେ ସମସ୍ତ ରାଶି ଅଶୁଭଫଳ ପ୍ରାପ୍ତ କରିବେ ନାହିଁ। ବୃହସ୍ପତି ଶୁଦ୍ଧି ହେତୁ ବୃଷ, ସିଂହ, ଧନୁ ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କୁ ଶୁଭଫଳ ମିଳିବ। ତୁଳା ରାଶି ପାଇଁ ବୃହସ୍ପତି ଶୁଭ ଥିଲେ ମଧ୍ୟ ଚନ୍ଦ୍ର ଅଶୁଭ ଥିବାରୁ ମିଶ୍ରିତ ଶୁଭଫଳ ମିଳିବାର ସମ୍ଭାବନା ରହିଛି। ସେହିପରି ମିଥୁନ, କର୍କଟ, ବିଛା ଓ ମୀନ ରାଶିର ବ୍ୟକ୍ତିମାନେ ବୃହସ୍ପତି ଅଶୁଭ ଓ ଚନ୍ଦ୍ର ଶୁଭ ହେତୁ ମିଶ୍ରଫଳ ଭୋଗ କରିବେ।

ମାତ୍ର, ମେଷ, କନ୍ୟା ଏବଂ ମକର ରାଶିର ଗୋଚରରେ ବୃହସ୍ପତି ଏବଂ ଚନ୍ଦ୍ର ଉଭୟ ଅଶୁଭ ହେତୁ ଏହି ରାଶିମାନଙ୍କ ପାଇଁ ଏହି ଚଳନ ଅଶୁଭ ଫଳଦାୟୀ ହେବ। ତେଣୁ ମେଷ, କନ୍ୟା, ମକର ରାଶିର ବ୍ୟକ୍ତିବିଶେଷମାନଙ୍କୁ ଅଯଥା କଳହ, ଋଣ ଓ ଦେଣନେଣରୁ ଦୂରରେ ରହିବା ସହ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡିବ। ଅଶୁଭ ଫଳ ଖଣ୍ଡନ ପାଇଁ ଯଥାବିଧି ଦାନ (ସର୍କରା, ଖଣ୍ଡହଳଦୀ, ପୀତଧାନ ଇତ୍ୟାଦି) କରିବା ସହ ବ୍ରହ୍ମଯଷ୍ଠିର ଚେର ସଂଗ୍ରହ କରି ଶାନ୍ତି ହୋମ କରିବା, ଗୁରୁସେବା ଏବଂ ଶନିବାର କମ୍ବଳ ଦାନ କଲେ ଶୁଭଫଳ ମିଳିବ।