୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ ବର୍ଷ ମହିମା ସ୍ବାମୀଙ୍କର ଆବିର୍ଭାବର ୨୦୦ ବର୍ଷ ପୂର୍ତ୍ତି ହୋଇଛି। ମେଳା ଉପଲକ୍ଷେ ସନ୍ଧ୍ୟା ୫ଟାରେ ଗାଦି ମନ୍ଦିର ୪ ଦ୍ୱାରରେ ଝାଡ଼ଦୀପ ପ୍ରଜ୍ବଳିତ ହେବ। ସମଗ୍ର ବିଶ୍ୱ ଓ ଜୀବଜଗତର ମଙ୍ଗଳ ପାଇଁ ମହିମା ସାଧୁ ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁମାନେ ଘୃତାହୃତି କରିବେ। ଭୋର୍‌ରୁ ମହିମା ସନ୍ନ୍ୟାସୀମାନେ ସମସ୍ତ ନୀତିକାନ୍ତି ଆରମ୍ଭ କରିଛନ୍ତି। ଅଲେଖ ମହିମା ଧୂନିରେ କମ୍ପୁଛି ମହିମା ଗାଦି ଯୋରନ୍ଦା। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଓଡ଼ିଶାର ବିଭିନ୍ନ ଜିଲା ସମେତ ନେପାଳ, ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ବିହାର ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ବହୁ ସଂଖ୍ୟାରେ ମହିମା ସାଧୁ ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ଯୋରନ୍ଦାରେ। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋରନ୍ଦା ଆସି ପୀଠର ବିଭିନ୍ନ ଉନ୍ନତିମୁଳବ କାର୍ଯ୍ୟର ଶୁଭ ଦେବା ସହ ମହିମା ସନ୍ନ୍ୟାସୀମାନଙ୍କ ସହ ଆଲୋଚନା କରିବେ। ମେଳା ପାଇଁ ୧୪ ପ୍ଲାଟୁନ୍‌ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ବୋଲି ଏସ୍‌ପି ଅଭିନବ ସୋନକର ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily