ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ବାସଭବନରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି। ଗୁରୁବାର ସନ୍ଧ୍ୟାରେ କମ୍ପାନୀରେ ଓଡ଼ିଆ ଦାଦନ ଶ୍ରମିକ ଯୋଗେନ୍ଦ୍ର କମ୍ପାନୀରେ କାମସାରି ଫେରୁଥିବା ବେଳେ ରାସ୍ତାରେ ଆକସ୍ମିକ ଝଡ଼ବର୍ଷା ହୋଇଥିଲା। ସେ ରାସ୍ତାକଡ଼ର ଏକ ଗଛମୂଳରେ ଆଶ୍ରୟ ନେଇଥିବାବେଳେ ଗଛର ଏକ ବୃହତକାୟ ଡାଳ ତାଙ୍କ ମୁଣ୍ଡ ଉପରେ ପଡ଼ିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ସେଠାକାର ପୋଲିସ ମୃତଦେହ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।