ଜେଏମ୍‌ଏମ୍‌ ଗଡ଼ରେ ଧସେଇ ପଶିବାକୁ କସରତ

ଉଦଳା,୧୩।୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ପରିଷଦର ୧ନଂ. ଜୋନ୍‌ରେ ଏବେ ଚାଲିଛି ଜୋରଦାର ପଲଟିକାଲ ଫାଇଟ୍‌। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଗଡ଼ କୁହାଯାଉଥିବା ଏହି ଜୋନ୍‌ରେ ଧସେଇ ପଶିବାକୁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ କସରତ ଆରମ୍ଭ କରିଦେଇଛନ୍ତି। ୨୦୧୨ ଏବଂ ୨୦୧୭ ନିର୍ବାଚନରେ ଏହି ଜୋନ୍‌ ଜେଏମ୍‌ଏମ୍‌ କବ୍‌ଜାରେ ଥିଲା। ଲଗାତାର ଦୁଇଥର ଏହି ଆସନକୁ ହାତେଇ ଜେଏମ୍‌ଏମ୍‌ ଦବ୍‌ଦବା ଜାହିର କରିଛି। ଏଥର ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଏହି ଜୋନ୍‌ ସଂରକ୍ଷିତ ରହିଛି ା ଜେଏମ୍‌ଏମ ଗଡ଼ ଭାଙ୍ଗିବା ପାଇଁ ବିଜେଡି ଖେଳିଛି ପାଠୁଆ କାର୍ଡ। ଇଂ. ସୁଶାନ୍ତି ସିଂଙ୍କୁ ଦଳ ପ୍ରାର୍ଥୀ କରି ପରିବର୍ତ୍ତନର ଆହ୍ବାନ ଦେଇଛି। ଭାଜପା ପ୍ରାର୍ଥତ୍ନୀ ଶୀରମଣି ସିଂ ଜୋରଦାର କ୍ୟାମ୍ପେନିଂ ଚଳାଇଥିବା ବେଳେ ପଦ୍ମିନୀ ହଁାସଦାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ୨୦୧୨ରେ ଏହି ଜୋନ୍‌ରୁ ବିଜୟୀ ହୋଇଥିବା କ୍ଷୀରମଣି ଟୁଡୁଙ୍କୁ ଜେଏମ୍‌ଏମ୍‌ ପୁଣି ମଇଦାନକୁ ଓହ୍ଲାଇଛି। ସେ ନିଜ ସମର୍ଥକଙ୍କୁ ନେଇ ପ୍ରଚାର କାର୍ଯ୍ୟରେ ଆଗେଇ ଚାଲିଥିବା ବେଳେ ତାଙ୍କୁ ଚେକ୍‌ ଦେବା ପାଇଁ ବିଜେଡିର ସୁଶାନ୍ତି ବିଭିନ୍ନ ରଣକୌଶଳ ଆପଣାଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଏହି ଜୋନ୍‌ର ଭୋଟର ଜେଏମ୍‌ଏମ୍‌ ଉପରେ ଆସ୍ଥାପ୍ରକଟ କରି ଆସିଥିବା ବେଳେ ଚଳିତ ନିର୍ବାଚନରେ କାହା ପଟକୁ ଢ଼ଳୁଛନ୍ତି ତାହା ଦେଖିବାକୁ ବାକି ରହିଲା।