ଭାଜପା ସରକାରଙ୍କ ଉପରେ ବର୍ଷିଲା ଜେଏମ୍‌ଏମ୍‌, ଟାର୍ଗେଟ୍‌ କରି କହିଲା…

ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା କଲ୍ୟାଣମଣ୍ଡପରେ ରବିବାର ପୂର୍ବାହ୍ନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲା ସଭାପତି କୃଷ୍ଣଚନ୍ଦ୍ର ଦାସ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ବିଭିନ୍ନ ସମସ୍ୟାକୁ ନେଇ ବର୍ତ୍ତମାନର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦାସ। ମୋରଡ଼ା ଏବଂ ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିବାରୁ ବହୁ ଧନଜୀବନ ନଷ୍ଟ ହେଉଥିଲେ ମଧ୍ୟ ହାତୀ ଉପଦ୍ରବକୁ ରୋକ ଲଗାଇବାରେ ସରକାର ବିଫଳ ହୋଇଛନ୍ତି। ହାତୀ ଉପଦ୍ରବରେ ଜୀବନ ହରାଇଥିବା ପରିବାରଙ୍କୁ ସମ୍ପୂର୍ଣ୍ଣ ରୂପେ କ୍ଷତିପୂରଣ ପାଇ ପାରୁନାହାନ୍ତି। ଅଫିସରମାନେ କେବଳ ଏସି ରୁମ୍‌ରେ ବସି ହାତୀ ଉପଦ୍ରବକୁ ରୋକ ଲଗାଉଛନ୍ତି।

ସେହିପରି ଗଜସାଥୀମାନଙ୍କୁ ବର୍ଷ ତମାମ ନିଯୁକ୍ତି, ଜୀବନ ବୀମା ପ୍ରଦାନ ଆଦି ପ୍ରସଙ୍ଗ ଉଠାଇଥିଲେ ଦାସ। ଅଞ୍ଚଳରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବାରୁ ଜଙ୍ଗଲ ନଷ୍ଟ ହେବାକୁ ବସିଛି। ମୋରଡ଼ା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର ବର୍ତ୍ତମାନର ନଗର ଉନ୍ନୟନ ମନ୍ତ୍ରୀ ଏବଂ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଥିଲେ ମଧ୍ୟ ଜଙ୍ଗଲ ଲୁଟ୍‌ ହେଉଛି। ସେହିପରି ଜିଲାରେ ୧୨୦ଟି ବିଦ୍ୟାଳୟ ଜଣେ ଶିକ୍ଷକରେ ଚାଲୁଛି ଫଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଛି। ଅଞ୍ଚଳବାସୀ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ସ୍ବାସ୍ଥ୍ୟ ବ୍ୟବସ୍ଥାର ମଧ୍ୟ ସୁଧାର ଆଣିବାକୁ ଦାବି କରିଥିଲେ ଦାସ। ସରକାର ଆସି ମଉଜ ମସ୍ତିର ପର୍ବ ନପାଳି ଉକ୍ତ ସମସ୍ୟାଗୁଡ଼ିକର ଯଥାଶୀଘ୍ର ସମାଧାନ କରିବାକୁ ଦାବି କରିବା ସହିତ ନଚେତ ଆଗାମୀ ଦିନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଜୋରଦାର ଆନ୍ଦୋଳନ କରିବ ବୋଲି ସେ କହିଥିଲେ।

Dharitri – Odisha’s No.1 Odia Daily

Share