ମୁମ୍ବାଇ,୨୫।୧: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଫିଚର ‘ଜିଓ ସାଉଣ୍ଡ ପେ’ର ଶୁଭାରମ୍ଭ ଚଳିତ ବର୍ଷ ଗଣତନ୍ତ୍ର ଦିବସ (ଜାନୁୟାରୀ ୨୬)ରେ କରାଯିବ। ଏପରି କି ଏହି ସୁବିଧା ଜିଓ ଭାରତ ଫୋନରେ ଆଜୀବନ ମାଗଣା ଉପଲବ୍ଧ ହେବ। ଜିଓ ସାଉଣ୍ଡ ପେ’ରୁ ବିନା କୌଣସି ସାଉଣ୍ଡ ବକ୍ସରେ ୟୁପିଆଇ ପେମେଣ୍ଟ ଆଲର୍ଟ ମିଳିବ। ଭାରତର ଯେକୌଣସି ମୋବାଇଲ୍ ଫୋନରେ ଏହା ଏହିଭଳି ପ୍ରଥମ ବୈଶିଷ୍ଟ୍ୟ ବା ଫିଚର ହେବ। ଦେଶର ପାଞ୍ଚ କୋଟିରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ଏଥିରୁ ପ୍ରତ୍ୟକ୍ଷ ଲାଭ ପାଇବେ। କମ୍ପାନୀର ସୂଚନା ଅନୁସାରେ ଜିଓସାଉଣ୍ଡ ପେ ଏକ ଅଭୂତପୂର୍ବ ନବସୃଜନ ବା ଇନୋଭେସନ୍ କରିଛି, ଯାହା ପ୍ରତ୍ୟେକ ୟୁପିଆଇ ଦେୟର ତତ୍କ୍ଷଣାତ ବହୁଭାଷୀ ଅଡିଓ ଆଲର୍ଟ ବାର୍ତ୍ତା ଦେବ। ଏହା ଛୋଟରୁ ଛୋଟ ଗ୍ରୋସେରି ଓ ଖାଦ୍ୟସାମଗ୍ରୀ ଦୋକାନ, ପନିପରିବା ବିକ୍ରେତା ଏବଂ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଖାଦ୍ୟ ଓ ପାନୀୟ ବିକ୍ରେତାମାନଙ୍କ ପାଇଁ ବ୍ୟବସାୟ କରିବା ଅଧିକ ସହଜ କରିବ। ବର୍ତ୍ତମାନ କ୍ଷୁଦ୍ର ଏବଂ ଅତିକ୍ଷୁଦ୍ର ବ୍ୟବସାୟୀମାନେ ସାଉଣ୍ଡ ବକ୍ସ ପାଇଁ ମାସକୁ ପ୍ରାୟ ୧୨୫ ଟଙ୍କା ଦେଉଛନ୍ତି। ଏହି ସେବା ବର୍ତ୍ତମାନ ଜିଓସାଉଣ୍ଡ ପେ’ରେ ଉପଲବ୍ଧ ହେବା ସହିତ ଜିଓ ଭାରତ ଫୋନ୍ ବ୍ୟବହାରକାରୀମାନେ ବାର୍ଷିକ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ।
ଜିଓର ସଭାପତି ସୁନୀଲ ଦତ୍ତ କହିଛନ୍ତି, ଜିଓ ପ୍ରତ୍ୟେକ ଭାରତୀୟଙ୍କୁ ସଶକ୍ତ କରିବା ପାଇଁ ଟେକ୍ନୋଲୋଜି ଉପଯୋଗ କରିବାରେ ବିଶ୍ୱାସ କରିଥାଏ।


