ଥୁଆମୂଳରାମପୁର,୧୦।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ନେଟ୍ୱର୍କ ସେବାର ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ବ୍ଲକର ପ୍ରାୟ ସମସ୍ତ ଗ୍ରାମ ପଞ୍ଚାୟତରେ ‘ଜିଓ’ ନେଟୱର୍କ ଉପଲବ୍ଧ ଥିବାରୁ ଅଞ୍ଚଳର ଶତକଡ଼ା ୮୦ ଭାଗ ଲୋକ ଏହି କମ୍ପାନୀର ସିମ୍ ବ୍ୟବହାର କରୁଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ, ଖୋଦ ବ୍ଲକ ମୁଖ୍ୟାଳୟରେ ଜିଓ ଟାୱାର ନଥିବାରୁ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟାଳୟରେ ବିଏସଏନଏଲ (BSNL) ଓ ଏୟାରଟେଲ (Airtel) ସେବା ଥିଲେ ହେଁ, ଅଧିକାଂଶ ଲୋକ ଜିଓ ଉପଭୋକ୍ତା ହୋଇଥିବାରୁ ଏଠାକୁ ଆସିବା ପରେ ସେମାନଙ୍କ ମୋବାଇଲ ଏବେ କେବଳ ‘ଖେଳନା’ ପାଲଟିଛି। ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶହଶହ ଲୋକ ପ୍ରତିଦିନ ସରକାରୀ କାର୍ଯ୍ୟାଳୟ, ଆଧାର କେନ୍ଦ୍ର, ବ୍ୟାଙ୍କ ଓ ଜନସେବା କେନ୍ଦ୍ରକୁ ନିଜର ଜରୁରୀ କାମ ପାଇଁ ଆସିଥାନ୍ତି। ଆଧାର ସଂଶୋଧନ ହେଉ କିମ୍ବା ବ୍ୟାଙ୍କରୁ ଟଙ୍କା ଉଠାଣ, ପ୍ରତ୍ୟେକ କାର୍ଯ୍ୟ ପାଇଁ ମୋବାଇଲକୁ ଆସୁଥିବା ଓଟିପି (OTP) ଉପରେ ସମସ୍ତେ ନିର୍ଭରଶୀଳ। ଗ୍ରାମାଞ୍ଚଳରୁ ଆସୁଥିବା ହିତାଧିକାରୀଙ୍କ ପାଖରେ ଜିଓ ସିମ୍ ଥିବା ବେଳେ ମୁଖ୍ୟାଳୟରେ ନେଟୱର୍କ ନ ଥିବାରୁ ସେମାନଙ୍କ ପାଖକୁ ଓଟିପି ଆସିପାରୁ ନାହିଁ। ଫଳରେ ଦୂରଦୂରାନ୍ତରୁ ଖର୍ଚ୍ଚାନ୍ତ ହୋଇ ଆସୁଥିବା ଗରିବ ଆଦିବାସୀ ଲୋକେ କାମ ନହେବାରୁ ଦିନ ସାରା ଭୋକ ଉପାସରେ ରହି ଶେଷରେ ନିରାଶ ହୋଇ ଘରକୁ ଫେରୁଛନ୍ତି।ଏହି ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ବହୁବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ବିଡିଓଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପର୍ଯ୍ୟନ୍ତ ସବୁଠି ଅଞ୍ଚଳବାସୀ ଗୁହାରି କରିସାରିଛନ୍ତି। ଏପରିକି ସ୍ଥାନୀୟ ସାଂସଦଙ୍କୁ ମଧ୍ୟ ଅବଗତ କରାଯାଇଛି। ମାତ୍ର ପଞ୍ଚାୟତ ସ୍ତରରେ ଜିଓ ଟାୱାର ବସି ପାରୁଥିବା ବେଳେ, ମୁଖ୍ୟାଳୟ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କାହିଁକି କମ୍ପାନୀ ଟାୱାର ବସାଉ ନାହିଁ ଏବଂ ପ୍ରଶାସନ ଏଥିପ୍ରତି କାହିଁକି ଦୃଷ୍ଟି ଦେଉନାହିଁ, ତାହା ଏବେ ସନ୍ଦେହ ଘେରରେ l ବ୍ଲକ ମୁଖ୍ୟାଳୟରେ ଜିଓ ନେଟୱର୍କ ନଥିବା ଯୋଗୁ କେବଳ ଜନସାଧାରଣ ନୁହଁନ୍ତି, ବରଂ ଜରୁରୀକାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ତୁରନ୍ତ ଏଠାରେ ଏକ ଜିଓ ଟାୱାର ସ୍ଥାପନ କରିବାକୁ ଅଞ୍ଚଳବାସୀ ଜୋରଦାର ଦାବି କରିଛନ୍ତି। ଯଦି ପ୍ରଶାସନ ଏବଂ ସମ୍ପୃକ୍ତ କମ୍ପାନୀ ଏଥିପ୍ରତି ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ବ୍ଲକର ସମସ୍ତ ଗ୍ରାମପଞ୍ଚାୟତବାସୀ ଏକଜୁଟ ହୋଇ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।