ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’

ବାରିପଦା,୯ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡରେ ପହଞ୍ଚିଛି। ରବିବାରଠାରୁ ଶିମିଳିପାଳ ପାର ହୋଇ ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ରବିବାର ରାତିରେ ଜିନ୍ନତ ବାଙ୍ଗିରିପୋଷି ରେଞ୍ଜ ଅଧିନ ଯୋକା ଅଞ୍ଚଳ ଦେଇ ଓଡ଼ିଶା ସୀମା ପାର କରି ଝାଡ଼ଖଣ୍ଡ ଜଙ୍ଗଲରେ ପ୍ରବେଶ କରିଛି। ତେବେ ଅନୁଧ୍ୟାନକାରୀ ଟିମ୍‌ ଜିନ୍ନତକୁ ପୁଣି ଶିମିଳିପାଳକୁ ଫେରାଇ ଆଣିବା ପାଇଁ ତା’ ପଛେ ପଛେ ରହିଛନ୍ତି। ଝାଡ଼ଖଣ୍ଡ ବନ ବିଭାଗ ସହିତ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର ଜିନତକୁ ଫେରାଇ ଅଣାଯିବ।

ସୂଚନା ଥାଉ କି, ବାଘୁଣୀ ଜିନ୍ନତ (ଟି୧୬୩ ଏସ୧ଏଫ) ବୟସ ୩। ମହାବଳ ବାଘର ବଂଶ ବୃଦ୍ଧି ଲକ୍ଷ୍ୟରେ ମହାରାଷ୍ଟ୍ରରୁ ଗତ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବେଳେ ନଭେମ୍ବର ୧୫ ସକାଳେ ଚହଲା ନିକଟସ୍ଥ ଏକ ସଫ୍ଟ ଏନ୍‌କ୍ଲୋଜରରେ ଜିନ୍ନତକୁ ଛଡ଼ାଯାଇଥିଲା। ସଫ୍ଟ ଏନକ୍ଲୋଜର ମଧ୍ୟରେ ବାଘୁଣୀ ୩ଟି ବାର୍‌ହା ଶିକାର କରିବା ପରେ ସୁସ୍ଥ ଥିବାରୁ ନଭେମ୍ବର ୨୪ ରବିବାର ରାତିରେ ଜଙ୍ଗଲରେ ଛଡ଼ାଯାଇଥିଲା। ଟ୍ରାପ୍‌ ଚିପ୍‌ ଲଗାଇ ଶିମିଳିପାଳ ଅଭୟାରଣ୍ୟ କୋର୍‌ ଜଙ୍ଗଲରେ ବାଘୁଣୀ ଜିନତ ବିଚରଣ କରୁଥିବା ବେଳେ ଗତିବିଧି ଓ ସାସ୍ଥ୍ୟାବସ୍ଥା ୨୪ଘଣ୍ଟିଆ ବନ ବିଭାଗ ଟିମ୍‌ ଅନୁଧ୍ୟାନ କରୁଛନ୍ତି। ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଟିମ୍‌ ମଧ୍ୟ‘ଜିନ୍ନତ’ ଉପରେ ନଜର ରଖିଛି।

Share
Tags: tiger jinnat