ଭୁବନେଶ୍ୱର,୧୭ା୨(ସୁଚିସ୍ମିତା ସାହୁ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ୨୦୨୬ ପ୍ରଥମ ସେସନର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଜେଇଇ ପେପର-୧ (ବିଇ/ବିଟେକ) ପରୀକ୍ଷାରେ ୧୨ଜଣ ଛାତ୍ରୀଛାତ୍ର ଶତ ପ୍ରତିଶତ ମାର୍କ ରଖିଛନ୍ତି। ଏମାନଙ୍କ ମଧ୍ୟରେ ଓଡ଼ିଆ ପୁଅ ଭବେଶ ପାତ୍ର ସର୍ବଭାରତୀୟସ୍ତରରେ ୬ ନମ୍ବର ସ୍ଥାନରେ ରହିବା ସହ ଓଡ଼ିଶା ଟପ୍ପର ହୋଇଛନ୍ତି।
ଦିଲ୍ଲୀ (ଏନ୍ସିଟି)ର ଶ୍ରେୟାସ ମିଶ୍ର ପ୍ରଥମ ସ୍ଥାନରେ ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ନରେନ୍ଦ୍ରବାବୁ ଗାରୀ ମାହିଥ ଦ୍ୱିତୀୟ, ବିହାରର ଶୁଭମ କୁମାର ତୃତୀୟ, ରାଜସ୍ଥାନର କବୀର ଚିଲ୍ଲାର ଚତୁର୍ଥ, ରାଜସ୍ଥାନର ଚିରଞ୍ଜୀବ କର ପଞ୍ଚମ, ହରିୟାଣାର ଅନୟ ଜୈନ ସପ୍ତମ, ରାଜସ୍ଥାନର ଅର୍ଣ୍ଣବ ଗୌତମ ଅଷ୍ଟମ, ଆନ୍ଧ୍ରପ୍ରଦେଶର ପସାଲ ମୋହିଥ ନବମ, ମହାରାଷ୍ଟ୍ରର ମାଧବ ଭିରାଦିଆ ଦଶମ, ଗୁଜରାଟର ମାଧବ ଭିରାଦିଆ ଦଶମ, ଗୁଜରାଟର ପୁରୋହିତ ନିମୟ ଏକାଦଶ ଏବଂ ତେଲେଙ୍ଗାନାର ଭିଭାନ ସାରଦ ମାହିଶ୍ୱରୀ ଦ୍ୱାଦଶ ସ୍ଥାନରେ ରହିଛନ୍ତି।
ଚଳିତବର୍ଷ ପେପର-୧ ପରୀକ୍ଷା ପାଇଁ ମୋଟ୍ ୧୩ଲକ୍ଷ ୫୫ହଜାର ୨୯୩ ଜଣ ଛାତ୍ରୀଛାତ୍ର ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ୯୬.୨୬ ପ୍ରତିଶତ ବା ୧୩ ଲକ୍ଷ ୪ ହଜାର ୬୫୩ଜଣ ପରୀକ୍ଷା ଦେଇଥିଲେ। ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ମାଧ୍ୟମରେ ଦେଶର ୩୦୦ ସହର ସମେତ ବିଦେଶର ୧୫ଟି ସହରରେ ଆୟୋଜିତ ରପୀକ୍ଷା କେନ୍ଦ୍ରରେ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ।