ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ମାସରେ ୧୦ ରୁ ୧୨ ଜଣ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ସୂଚନାରୁ ଜଣାପଡିଛି । ଏନେଇ ସହରାଞ୍ଚଳ ଚକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ସେମାନଙ୍କୁ ଭାଇରାଲ ଜ୍ବର ହୋଇଥିବା ନେଇ ଡାକ୍ତର କହିଥିଲେ । କିନ୍ତୁ ପରବର୍ତ୍ତି ସମୟରେ କିଛି ବ୍ୟକ୍ତିଙ୍କ ଆଖି ହଳଦିଆ ହେବା ସହ ଜଣ୍ଡିସର ଅନ୍ୟ ଲକ୍ଷଣ ଦେଖାଯିବାରୁ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ । ଘରୋଇ ଡାକ୍ତର ପାଖକୁ ଯାଇ ଚିକିତ୍ସା ପରେ ଜଣ୍ଡିସ ହୋଇଥିବା ଜଣାପଡିଥିଲା।
ସୂଚନା ମୁତାବକ ସେହି ଅଞ୍ଚଳର ଶ୍ରଦ୍ଧା ଶତପଥି (୧୯), ଦେବଜାନୀ ଗୌଡ (୧୭), ପ୍ରେମ ସାଗର (୧୧) ଜଣ୍ଡିସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । କିଛି ଲୋକ ଚେରମୂଳୀ ଔଷଧ ଉପରେ ଭରସା କରି ଖାଇଥିବା ଜଣାପଡିଛି । ସାହି ବାସିନ୍ଦା ପ୍ରକାଶ କରିଛନ୍ତି ଯେ ଜନସ୍ବାସ୍ଥ୍ୟ ବିଭାଗ ଦ୍ବାରା ନଳ ଯୋଗେ ଜଳ ପ୍ରଦାନ କରାଯାଉଥିବା ପାଣି କିଛି ମାସ ହେଲା ଗୋଳିଆ ଆସୁଛି ଏବଂ ସେଠାକାର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି । ଜଣ୍ଡିସ ବ୍ୟାପିବା ନେଇ ବୁଧବାର ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ପହଞ୍ଚିବା ପରେ ସିଡିଏମଓ ଭି. ସରୋଜିନୀ ଦେବୀଙ୍କ ନିର୍ଦେଶରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଡିପିଏଚଓ) ରୁମା ମହାପାତ୍ର, ଡାକ୍ତର ଶ୍ରୀନିବାସ ସାହୁ, ଡାକ୍ତର ସଂଗ୍ରାମ କେଶରୀ ନିମାଲଙ୍କ ନେତୃତ୍ବରେ ଅପରାହ୍ନରେ ଉକ୍ତ ଅଞ୍ଚଳକୁ ସ୍ବାସ୍ଥ୍ୟ ବିଭାଗର ଟିମ ସହ ଗସ୍ତ କରିଥିଲେ । ଡାକ୍ତରୀ ଟିମ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରିବା ସହ ଆକ୍ରାନ୍ତ ଘରେ ବ୍ୟବହାର କରୁଥିବା ପାଣିର ନମୁନାକୁ ସଂଗ୍ରହ କରିଥିଲେ ।
ଡିପିଏଚଓ ମହାପାତ୍ର କହିଛନ୍ତି ଯେ, ପାଣିର ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଛି ଏବଂ ପରୀକ୍ଷଣ ପରେ ଜଣ୍ଡିସ ସଂପର୍କରେ ସୂଚନା ମିଳିବ। ତେବେ ହୋଟେଲ ଏବଂ ବାହାର ଖାଦ୍ୟରୁ ମଧ୍ୟ ଜଣ୍ଡିସ ହୋଇଥିବା ଆଶଙ୍କାକୁ ଏଡାଇ ଦିଆନଯାଇପାରେ ବୋଲି ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଚଳିତ ବର୍ଷ ଜିଲାରେ ୨୧ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ବେଳେ ରାୟଗଡା ସହରାଞ୍ଚଳରେ ଜଣେ ମଧ୍ୟ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ସୂଚନା ନାହିଁ ।

