ଭବାନୀପାଟଣା/ଥୁଆମୂଳ ରାମପୁର,୧୯ା୭(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ରାସ୍ତା ସମସ୍ୟା ପୁଣିଥରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ସେବା ନ ମିଳିବାରୁ ପରିବାର ଲୋକ ଓ ଗ୍ରାମବାସୀ ଷ୍ଟ୍ରେଚରରେ ପ୍ରାୟ ୨ କିଲୋମିଟର କାଦୁଅ ରାସ୍ତା ଦେଇ ବୋହି ମୁଖ୍ୟ ରାସ୍ତାକୁ ଆଣିବାକୁ ବାଧ୍ୟ ହୋଇଥିଲେ। ପରେ ଏକ ଭଡ଼ା ଅଟୋ ଯୋଗେ ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ଲକର ଘୁଟିଗୁଡ଼ା ଗାଁରେ। ମିଳିଥିବା ସୂଚନା ଅନୁସାରେ, ଗାଁର ରଞ୍ଜିତା ମାଝୀ ପ୍ରସବ ବେଦନା ଅନୁଭବ କରିବା ପରେ ପରିବାର ଲୋକେ ତୁରନ୍ତ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିନ୍ତୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କାଦୁଅ ଓ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବାରୁ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚି ପାରି ନ ଥିଲା। ଅଧାବାଟରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ କୌଣସି ବିକଳ୍ପ ନମିଳିବାରୁ ଆମ୍ବୁଲାନ୍ସ ଫେରିଯାଇଥିବା ସୂଚନା ମିଳିଛି। ରବିବାର ସକାଳେ ପରିବାର ଲୋକେ ନିଜସ୍ବ ଖର୍ଚ୍ଚରେ ଏକ ଅଟୋ ଭଡ଼ା କରିଥିଲେ। ଗ୍ରାମବାସୀ ଓ ପରିବାର ସଦସ୍ୟମାନେ ଷ୍ଟ୍ରେଚରରେ ଦୋଳା ବାନ୍ଧି ରଞ୍ଜିତାଙ୍କୁ ପ୍ରାୟ ଦୁଇ କିଲୋମିଟର କାଦୁଅ ରାସ୍ତା ଦେଇ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ଅଟୋ ଯୋଗେ ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଯାଇଥିଲା। ଏହି ଘଟଣା ଦୁର୍ଗମ ଅଞ୍ଚଳରେ ରାସ୍ତା, ଯୋଗାଯୋଗ ବ୍ୟବସ୍ଥା ଓ ଜରୁରୀକାଳିନ ସ୍ବାସ୍ଥ୍ୟସେବାର ଦୟନୀୟ ସ୍ଥିତିକୁ ପୁଣିଥରେ ଉଜାଗର କରିଛି। ଘୁଟିଗୁଡ଼ା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବହୁବାର ପ୍ରଶାସନ ନିକଟରେ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଦାବି କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ଫଳରେ ଅସୁସ୍ଥ, ଗର୍ଭବତୀ ମହିଳା ଓ ବୃଦ୍ଧବୃଦ୍ଧାମାନେ ଜରୁରୀ ସମୟରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିକାଶର ଦାବି କରାଯାଉଥିବା ସମୟରେ ଏଭଳି ଘଟଣା ଦୁର୍ଗମ ଅଞ୍ଚଳର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି। ଘୁଟିଗୁଡ଼ା ଭଳି ଗାଁରେ କେବେ ସବୁଦିନିଆ ରାସ୍ତା ନିର୍ମାଶ ହେବ ଓ ଲୋକେ ମୌଳିକ ସୁବିଧା ପାଇବେ, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି।

