500 Indian rupees money composition. Financial background. Many banknotes and wads of money. Business or economy concept. Cash.
ବଇଣ୍ଡା, ୧୬୯ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ତହସିଲ ଅଧିନସ୍ଥ ନାକିଚି ରାଜସ୍ବ ବିଭାଗ ଅଧୀନରେ ଉତ୍ତରାଧାରୀ ପ୍ରମାଣ ପତ୍ର ପାଇବା ପାଇଁ ଜାଲ ଦସ୍ତଖତ ମରାଯାଇ ଏନଏଚ୍ର ଜମି କ୍ଷତିପୂରଣ ଟଙ୍କା ଉଠାଇନେବା ସହ ବଳକା ଜମିକୁ ବିକ୍ରି କରିବା ପାଇଁ ଉଦ୍ୟମ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ଜାନୁଆରୀରେ ଜଣାପଡିବା ପରେ ଠେଲକନାଳୀ ଗ୍ରାମବାସୀ ଜାନୁଆରୀ ୧୩ରେ ଅନୁଗୋଳ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ହେଲେ ଉକ୍ତ ଘଟଣାକୁ ସାମାନ୍ୟ ତଦନ୍ତ କରାଯାଇ ବିଭିନ୍ନ ଚାପରେ ଚପାଇ ଦିଆଯାଇଥିବା ବେଳେ ଉକ୍ତ ଘଟଣାକୁ ଭିଜିଲାନ୍ସ ସହ ଏକ ସ୍ବତନ୍ତ୍ର କମିଟି ଗଠନ କରି ତଦନ୍ତ କରିବା ପାଇଁ ଠେଲକନାଳି ଅଞ୍ଚଳବାସୀ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଏହାର ଏକ ନକଲ ରାଜସ୍ବ ମନ୍ତ୍ରୀ, ରାଜସ୍ବ ସଚିବଙ୍କୁ ପ୍ରଦାନ କରିଛନ୍ତି। ଏଥିସହ ଉତ୍ତରାଧାରୀ ପ୍ରମାଣ ପତ୍ର ପାଇଁ ଜାଲ ଦସ୍ତଖତ ବ୍ୟବହାର କରାଯାଇଥିବା ଠେଲକନାଳୀ ଗ୍ରାମର ସମୀର କୁମାର ପ୍ରଧାନ ମଧ୍ୟ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ କହିବା ଅନୁଯାୟୀ, ଠେଲକନାଳୀ ମୌଜା ଖାତା ନମ୍ବର ୮୮ ଏ ୦୩.୬୮ ଡ଼ିସିମିଲ ଜମି ସେହି ଗ୍ରାମର ରାମ ପାତ୍ର, ପିତା ଚିନ୍ତା ପାତ୍ର ନାମରେ ରହିଛି। ବହୁ ବର୍ଷ ପୂର୍ବେ ରାମ ପାତ୍ରଙ୍କ ମୃତ୍ୟୁ ଘଟିସାରିଛି। ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ତାଙ୍କ ଜମିର କିଛି ଅଂଶ ଅଧିଗ୍ରହଣ ହୋଇଥିଲା। ରାମ ପାତ୍ରଙ୍କ କୌଣସି ସମ୍ପର୍କୀୟ ନ ଥିବା ବେଳେ ଉକ୍ତ ଅଧିଗ୍ରହଣ ବାବଦ ଅର୍ଥରାଶି ପାଇବା ପାଇଁ ତାଙ୍କର ନକଲି ସମ୍ପର୍କୀୟ କରାଯାଇ ଜାଲ୍ ଦସ୍ତଖତ ଜରିଆରେ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି l ଏନ୍ଏଚ୍ ପକ୍ଷରୁ ଉକ୍ତ ଟଙ୍କାକୁ କ୍ଷତିଗ୍ରସ୍ତ ପରିବାରକୁ ପଇଠ କରିବା ପାଇଁ ନୋଟିସ ଦିଆଯାଇଥିବା ବେଳେ ତାଙ୍କର କୌଣସି ପରିବାର ଲୋକ ନଥିବା ଯୋଗୁଁ ଟଙ୍କା ଅନୁଗୋଳ ଏନଏଚ କାର୍ଯାଳୟଠାରେ ପଡ଼ିରହିଥିଲା l ପରେ ଏହି ଅଞ୍ଚଳର କିଛି ଜମି ମାଫଆ ନାକିଚି ରାଜସ୍ବ ବିଭାଗରେ ଥିବା ତତ୍କାଳ ରାଜସ୍ବ ଅଧିକାରୀଙ୍କ ସହ କେତେକ କର୍ମଚାରୀଙ୍କୁ ହାତକରି ଜଣେ ଯୁବତୀଙ୍କୁ ତାଙ୍କର ସମ୍ପର୍କୀୟ ଭାବରେ ପ୍ରସ୍ତୁତ କରି ତାଙ୍କ ନାମରେ ଏକ ଉତ୍ତରାଧାରୀ ପ୍ରମାଣ ପତ୍ର ବାହାର କରି କ୍ଷତିପୂରଣ ୨୦ ଲକ୍ଷ ଟଙ୍କା ଉଠାଇ ନେବା ସହ ବଳକା ଜମିକୁ ବହୁ କୋଟି ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା ଚଳାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ବିରୋଧ କରିଥିଲେ। ତେବେ ଉତ୍ତରାଧାରୀ ପ୍ରମାଣପତ୍ରରେ ସେହି ଗ୍ରାମର ସମୀର କୁମାର ପ୍ରଧାନଙ୍କ ଜାଲ ଦସ୍ତଖତ ମରାଯାଇଥିବା ବେଳେ ନିଜେ ସମୀର ମଧ୍ୟ ଏହି ଦସ୍ତଖତ ତାଙ୍କର ନୁହେଁ ବୋଲି ଅଭିଯୋଗ କରିଛନ୍ତି। ପୂର୍ବରୁ କିଶୋରନଗର ତହସିଲରେ ଏ ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତୁରନ୍ତ ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ଅଧିକାରୀ ଓ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l କିଶୋରନଗର ତହସିଲଦାର ମନୋଜ କୁମାର ପ୍ରଧାନ କହିଛନ୍ତି, ଏହି ଘଟଣା ମୋ ପୂର୍ବରୁ ଘଟିଛି । ଏ ସମ୍ପର୍କରେ ପୂର୍ବରୁ ମଧ୍ୟ ତଦନ୍ତକାରୀ ସଂସ୍ଥା ମୋତେ ରିପୋର୍ଟ ମାଗିଥିବା ବେଳେ ମୁଁ ରିପୋର୍ଟ ପ୍ରଦାନ କରିଛି। ଏବେ ଯାହାକୁ ଉତ୍ତରାଧାରୀ ପ୍ରମାଣପତ୍ର ଦିଆଯାଉଛି, କଡ଼ା ଯାଞ୍ଚ କରାଯାଇ ଦିଆଯାଉଛି।