ଧର୍ମଶାଳା,୨୮ା୬(ଶବି ପ୍ରସାଦ ମହାନ୍ତି): ଡାଇରିଆ କବଳରେ ଥିବା ଯାଜପୁର ଜିଲାର ସ୍ଥିତି ବର୍ତ୍ତମାନ ଧିରେ ଧିରେ ସୁଧୁରିଛି। ଜିଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ବଢ଼ି ସ୍ଥିତି ଗମ୍ଭୀର ହେବା ଫଳରେ କେନ୍ଦ୍ର, ରାଜ୍ୟ ଓ ଜିଲା ପ୍ରଶାସନର ତତ୍ପରତା ଫଳରେ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ୨୭ ତାରିଖ ଅପରାହ୍ନରେ ଜିଲାରେ ମୋଟ୍ ୮୦ଜଣ ରୋଗୀ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟାକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ସେଥି ମଧ୍ୟରୁ ଧର୍ମଶାଳା ଗୋଷ୍ଠୀ କେନ୍ଦ୍ରରେ ୮ଜଣ ରୋଗୀ ଚିକିତ୍ସିତ ହେଉଥିବା ଖବର ମିଳିଥିଲା।
ସେହିପରି ଆଜି ସକାଳୁ ମଧ୍ୟ ଜଣେ ନୂଆ ରୋଗୀଙ୍କୁ ମିଶାଇ ଧର୍ମଶାଳା ଗୋଷ୍ଠୀ କେନ୍ଦ୍ରରେ ୮ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସବୁଠାରୁ ବଡ଼ କଥା ଡାଇରିଆରେ ସ୍ଥିତି ସାଙ୍ଘାତିକ ହେବା ଦେଖି ଜିଲା ପ୍ରଶାସନ ଓ ସ୍ଥାନୀୟ ତହସିଲ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଥିବା ଢାବା, ହୋଟେଲ, ଜଳଖିଆ ଦୋକାନ, ମାଛ ଭଳି ବିଭିନ୍ନ ଦୋକାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାକୁ ବିଭିନ୍ନ ବ୍ୟବସାୟୀ ସହଯୋଗ କରି ବନ୍ଦ ମଧ୍ୟ କରିଥିଲେ। ବର୍ତ୍ତମାନ ରୋଗୀଙ୍କ ସଂଖ୍ୟା କମିଥିବା ଓ ସ୍ଥିତିରେ ସୁଧାର ଆସିଥିବା ବେଳେ ଧର୍ମଶାଳା ଅଞ୍ଚଳର ବିଭିନ୍ନ ଦୋକାନ ବଜାର ବନ୍ଦ କରି ରଖିଥିବା ବ୍ୟବସାୟୀମାନେ ଦୋକାନ ବଜାର ଖୋଲିବା ପାଇଁ ପ୍ରଶାସନ ପାଖେ ନିବେଦନ କରିଛନ୍ତି। ଏହା ଉପରେ ଜିଲା ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଧରିଛି।