ବିଦେଶିନୀଙ୍କ ଜଙ୍ଘରେ ଜଗନ୍ନାଥ ଟାଟୁ, ଥାନାରେ ଏତଲା

ଭୁବନେଶ୍ୱର,୩ା୩(ସତ୍ୟଜିତ୍‌ ରାଉତ): ବିଦେଶୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ଜଣେ ଆର୍ଟିଷ୍ଟ୍‌ ଅଡୁଆରେ ପଡ଼ିଛନ୍ତି। ଭୁବନେଶ୍ୱର ଶହୀଦନଗର ଥାନାରେ ରକି ଟାଟୁଜ୍‌ ଷ୍ଟୁଡିଓର ମାଲିକ ରକି ରଞ୍ଜନ ବିଶୋଇଙ୍କ ବିରୋଧରେ ରବିବାର କେତେଜଣ ସାମାଜିକ କର୍ମୀ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜଗନ୍ନାଥ ସଂସ୍କୃତିକୁ ରକି ଅପମାନିତ କରିଥିବାରୁ ତାଙ୍କୁ ଗିରଫ କରିବାକୁ ମଧ୍ୟ ଦାବି କରାଯାଇଛି। ପୋଲିସ ଏହି ଘଟଣା ସଂକ୍ରାନ୍ତରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
ଶହୀଦନଗରରେ ଥିବା ରକିଙ୍କ ଷ୍ଟୁଡିଓ ପକ୍ଷରୁ ଜଣେ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରାଯିବା ସହ ଉକ୍ତ ଫଟୋକୁ ଇନ୍‌ଷ୍ଟାଗ୍ରାମ ଓ ହ୍ବାଟ୍‌ସଆପ୍‌ରେ ଶେୟାର କରାଯାଇଥିଲା। ଏହାପରେ ଘଟଣା ପଦାକୁ ଆସିଥିଲା। ଏହା ହିନ୍ଦୁ ଧର୍ମୀୟ ଭାବନାରେ କୁଠାରାଘାତ ସହ ଜଗନ୍ନାଥଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗକାରୀ ସାଗର କୁମାର ସାହୁ, ବିନ୍ଦୁଜା ଉପାଧ୍ୟାୟ ପ୍ରମୁଖ କହିଛନ୍ତି। ଜଗନ୍ନାଥ କ’ଣ ତାଙ୍କର ପୈତୃକ ସମ୍ପତ୍ତି କି ବୋଲି ବିନ୍ଦୁଜା ପ୍ରଶ୍ନ କରିବା ସହ ଏହାକୁ ଅଭଦ୍ର ଆଚରଣ ବୋଲି ଅଭିହିତ କରିଛନ୍ତି। ଏପରିକି ଟାଟୁ ଆର୍ଟିଷ୍ଟଙ୍କୁ ଗିରଫ କରିବାକୁ ସେ କମିଶନରେଟ୍‌ ପୋଲିସକୁ ନିବେଦନ କରିଛନ୍ତି। ଅପରପକ୍ଷରେ ରକି ରଞ୍ଜନ ନିଜ ଇନ୍‌ଷ୍ଟାଗ୍ରାମରେ ଭିଡିଓ ଶେୟାର କରି ଏହି କାମକୁ ଭୁଲ୍‌ ଦର୍ଶାଇବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ଇଟାଲୀର ଯୁବତୀ ଜଣକ ଶନିବାର ଷ୍ଟୁଡିଓକୁ ଆସି ଜଙ୍ଘରେ ଟାଟୁ କରିବାକୁ ଅନୁରୋଧ କରିବାରୁ ଜଣେ ଆର୍ଟିଷ୍ଟ୍‌ ତାହା କରିଦେଇଥିଲେ। ଏଥିପାଇଁ ଷ୍ଟୁଡିଓ ଏବଂ ଆର୍ଟିଷ୍ଟ୍‌ଙ୍କ ପକ୍ଷରୁ ରକି ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଉକ୍ତ ଟାଟୁ କରିଥିବା ଯୁବତୀଙ୍କୁ ସେ ଯୋଗାଯୋଗ କରିଛନ୍ତି। ବର୍ତ୍ତମାନ ଉକ୍ତ ଟାଟୁକୁ ଲିଭାଗଲେ ସଂକ୍ରମଣ ହୋଇଯିବାର ଆଶଙ୍କା ରହିଛି। ଯୁବତୀ ଜଣକ ୨୫ ଦିନ କିମ୍ବା ମାସେ ପରେ ଏଠାକୁ ଆସି ଟାଟୁକୁ ଲିଭାଇବେ କିମ୍ବା ତାହା ପରିବର୍ତ୍ତେ ସେହି ସ୍ଥାନରେ ଆଉ କିଛି ଆର୍ଟ କରିବେ ବୋଲି ସେ ଜଣାଇଥିବା ରକି କହିଛନ୍ତି।

Share