ଜଗନ୍ନାଥପ୍ରସାଦ ନୂଆ ଏନ୍‌ଏସି, ଭଞ୍ଜନଗରକୁ ମ୍ୟୁନିସିପାଲିଟି ମାନ୍ୟତା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ

ଭଞ୍ଜନଗର,୩୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ରବିବାର ମ୍ୟୁନିସିପାଲିଟି ମାନ୍ୟତା ମିଳିଛି। ଏଥିସହ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ଜଗନ୍ନାଥପ୍ରସାଦକୁ ନୂତନ ଏନ୍‌ଏସି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ବାୟତ୍ତ ଶାସନ ଦିବସ ଅବସରରେ ଘୋଷଣା କରିଛନ୍ତି। ଏହି ଖବର ଭଞ୍ଜନଗରରେ ପହଞ୍ଚିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଞ୍ଜନଗର ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା କରିଥିଲେ। କିନ୍ତୁ ତାହା ତତ୍‌କାଳ କାର୍ଯ୍ୟକାରୀ ହୋଇପାରି ନ ଥିଲା। ସରକାର ବଦଳିବା ପରେ ଏହା କେବଳ ଭାଷଣରେ ସୀମିତ ଥିଲା ବୋଲି ବିରୋଧୀ ଅଭିଯୋଗ କରିଥିଲେ। ସରକାରଙ୍କ ପକ୍ଷରୁ ଏହି ସମୟ ମଧ୍ୟରେ ଚିଠି ଦିଆନିଆ ଚାଲିଥିଲା। କିନ୍ତୁ ମ୍ୟୁନିସିପାଲିଟି ମାନ୍ୟତା ମିଳିିବାରେ ବିଳମ୍ବ ହୋଇଥିଲା। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହା ପରେ ନବ ନିର୍ବାଚିତ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିଥିଲେ। ଏଥିସହ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭଞ୍ଜନଗର ଏବଂ ଜଗନ୍ନାଥପ୍ରସାଦ କଥା କହିଥିଲେ।

ଏହାପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଞ୍ଜନଗରକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରଦାନ କରିଛନ୍ତି। ଜଗନ୍ନାଥପ୍ରସାଦକୁ ଏନ୍‌ଏସି ଘୋଷଣା କରିଛନ୍ତି। ଏହାକୁ ନେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି। ଏଥିସହ ଡବଲ ଇଞ୍ଜିନ ସରକାର ସହାୟତାରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିକାଶ ଆହୁରି ଆଗକୁ ଯିବ ବୋଲି ବିଧାୟକ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କିଛି ମାସ ପୂର୍ବେ ଲୋକଙ୍କ ସହ ଆଲୋଚନା ସମୟରେ ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଏହି ଖବର କେବଳ ଧରିତ୍ରୀରେ ସେ ସମୟରେ ପ୍ରକାଶିତ ହୋଇଥିଲା। ଇତିମଧ୍ୟରେ କିଛି ଏନ୍‌ଏସି ଘୋଷଣା ହୋଇଥିଲା। ସେଥିରେ ଜଗନ୍ନାଥପ୍ରସାଦ ନ ଥିଲା। ଯାହାକୁ ନେଇ ବିରୋଧୀ ଶାସକ ଦଳକୁ କଟାକ୍ଷ କରିଥିଲେ। କିନ୍ତୁ ବିଧାୟକଙ୍କ ଅନୁରୋଧକୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ କରି ଜଗନ୍ନାଥପ୍ରସାଦକୁ ନୂଆ ଏନ୍‌ଏସି ମାନ୍ୟତା ଦେଇଛନ୍ତି। ଯାହା ଅଞ୍ଚଳବାସୀଙ୍କ ପାଇଁ ଗର୍ବର ବିଷୟ।

Share