ରାଜ୍ୟରେ ହଇଚଇ: ମୋଦକ ଚୋରି, କହୁକହୁ ସତ କହିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ

ପୁରୀ,୨୪।୬: ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ମୁହଁ ଖୋଲିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ହାପ୍ରଭୁଙ୍କ ମୋଦକ ଚୋରି  ହୋଇଛି ଏହା ସତ ବୋଲି କହିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ୭୦ଟି ମୋଦକ କମିବା ସତ କଥା, କିଏ ନେଇଥିବେ ନିଶ୍ଚିତ। ସିସିଟିଭି ଦେଖି ରାଜ୍ୟ ସରକାର ଏହାର ତଦନ୍ତ କରନ୍ତୁ। ଦୀଘା ପଠାଯାଇଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି। କହିଲେ ଏହା ମିଛ କଥା । ଏହି ଛୋଟମୋଟ କଥାରେ ନ ମାତି ରଥଯାତ୍ରା କଥା ଚିନ୍ତା କରନ୍ତୁ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ। ସେ କହିଛନ୍ତି, ” ଯେଉଁମାନେ ଆଉ ଏକ ପୁରୀ ମନ୍ଦିର କରିଥିବା ଡିଣ୍ଡିମ ପିଟୁଛନ୍ତି, ସେହିମାନେ ହିଁ ଏହା ପଛରେ ଅଛନ୍ତି। ଯିଏ ପୂର୍ବରୁ କାଠ ଚୋରି କରି ଦୀଘା ନେଇଥିଲେ, ମୋଦକ ଚୋରି ପଛରେ ବି ସେମାନଙ୍କ ହାତ“ ବୋଲି ରଥ କହିଛନ୍ତି।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆଇନ ମନ୍ତ୍ରୀ ରିପୋର୍ଟ ମାଗିଛନ୍ତି।ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ମୋଦକ ଚୋରି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ ।ବାଡ଼ଗ୍ରାହୀଙ୍କ ଅଭିଯୋଗକ୍ରମେ ତଦନ୍ତ କରାଯାଉଛି। ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା କରିବା ଠିକ୍‌ ନୁହେଁ ବୋଲି ପାଢୀ କହିଛନ୍ତି।