ଦୀର୍ଘ ବର୍ଷ ହେଲା ଦୟନୀୟ

ଛେଣ୍ଡିପଦା, ୨୩ା୮ (ଡି.ଏନ.ଏ.): ମୂଲକୁ ନ ଗଲେ ମିଳେନି ଦାନା। ସେଥିପାଇଁ ମୁଣ୍ଡ ଉପରେ ଥିବା ଛପରର ହୋଇପାରୁନି ମରାମତି। ବିପଦ ଜାଣି ବି ଭଙ୍ଗା ଦଦରା ଘରେ ନେଉଛନ୍ତି ଆଶ୍ରୟ। ଦୀର୍ଘବର୍ଷ ହେଲା ଜରିପାଲ ତଳେ ଦୟନୀୟ ଅବସ୍ଥାରେ ବିତୁଛି ସେମାନଙ୍କ ଜୀବନ। ଗରିବ ବୋଲି ସରକାର ଚିହ୍ନଟ କରିଥିଲେ ମଧ୍ୟ ଖଣି ପାଇଁ ଜମି ଅଧିଗ୍ରହଣ ଅଞ୍ଚଳ କହି ଦେଉନାହାନ୍ତି ଉପଯୁକ୍ତ ଗୁରୁତ୍ୱ। ଫଳରେ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବସନ୍ତପୁର ପଞ୍ଚାୟତ ହରିଜନ ସାହି ଓ ଘୁଣ୍ଟୁଳିପଶି ହରିଜନ ସାହିର ୨୫୦ ପରିବାର।
ସାହିବାସୀଙ୍କ କହିବା ଅନୁଯାୟୀ, ବସନ୍ତପୁର ପଞ୍ଚାୟତ ହରିଜନ ସାହିରେ ରହିଛି ୩ଟି ୱାର୍ଡ। ହରିଜନ ସାହିର ୭ ନଂ. ୱାର୍ଡରେ ୮୦ ପରିବାର ଓ ୮ନଂ. ୱାର୍ଡରେ ୧୨୦ ପରିବାର ରହୁଥିବାବେଳେ ଘୁଣ୍ଟୁଳିପଶି ହରିଜନ ସାହିର ୧୧ନଂ ୱାର୍ଡରେ ଅଛନ୍ତି ୭୫ ପରିବାର। ସେମାନଙ୍କ ଜୀବିକା କହିଲେ କେବଳ ମୂଲ ମଜୁରି। ଅତ୍ୟନ୍ତ ଗରିବ ହୋଇଥିବାରୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମଧ୍ୟ କରିପାରି ନାହାନ୍ତି। ଏପରି କି ଦୀର୍ଘବର୍ଷ ହେଲା ଚାଳ ଛପର ଭାଙ୍ଗି ଯାଇଥିଲେ ବି ତାହାର ମରାମତି କରିପାରୁ ନାହାନ୍ତି। ସେଥିପାଇଁ ଗତ ଲଗାଣ ବର୍ଷାରେ କଲବଲ ହେବାକୁ ପଡ଼ିଥିଲା ସାହିର ଲୋକଙ୍କୁ। କାହାର କାନ୍ଥ ଗଳି ପଡ଼ିଥିଲା ତ ଆଉ କାହା ଘରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ପ୍ରତିବର୍ଷ ବର୍ଷା ଋତୁରେ ଏପରି ଅବସ୍ଥା ଭୋଗୁଥିବା ହରିଜନସାହିବାସୀଙ୍କ ଦୁଃଖ ଦେଖାଯାଉନି ପ୍ରଶାସନକୁ। ଜମି ଅଧିଗ୍ରହଣ ଅଞ୍ଚଳ ବୋଲି କହି ଦୀର୍ଘବର୍ଷ ହେଲା ଏଠାରେ ନିର୍ମାଣ କାର୍ଯ୍ୟ କରୁ ନ ଥିବା ପ୍ରଶାସନ ଏବେ ରାସ୍ତା କରୁଛି। ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ଯୋଗାଇ ଦେଉଛି। ଫଳରେ ଦୀର୍ଘବର୍ଷ ହେଲା ମିଳି ନ ଥିବା ଆବାସକୁ ନେଇ ସାହିବାସୀଙ୍କ ମନରେ ଆଶା ଅଧିକ ଦୃଢ଼ୀଭୂତ ହୋଇଛି। ଘର ଖଣ୍ଡିଏ ପାଇବା ପାଇଁ ଦୀର୍ଘବର୍ଷ ହେଲା ସେମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟକୁ ଦୌଡ଼ୁଥିଲେ ବି ଭତ୍ତା ଓ ରାଶନ ଛଡ଼ା ଅନ୍ୟ କୌଣସି ସହାୟତା ମିଳୁନି। ଏପରି କି ଜରିପାଲ ଖଣ୍ଡିଏ ପାଇଁ ବାରମ୍ବାର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଗୁହାରି କରିବାକୁ ପଡ଼ୁଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିବର୍ଷ ପକ୍କା ଘର ପାଇଁ ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତିରେ ଅଟକି ଯାଉଛି। ସାହିର ସୀତା ନାଏକ, ଦୁତି ନାଏକ, କର ନାଏକ, କରୁଣା ନାଏକ, ଭରତ ନାଏକ, ଚାଇନ ନାଏକ, ଅଲି ନାଏକ, ପଳେଇ ନାଏକ, କନକ ନାଏକ, କାଞ୍ଚନ ନାଏକ, ଗୀତା ନାଏକ, ହାଡିବନ୍ଧୁ ନାଏକ, ବାଳକୃଷ୍ଣ ନାଏକ, ମୂଳିଆ ନାଏକଙ୍କ ସମେତ ପଞ୍ଚାୟତର ୩ଟି ୱାର୍ଡରେ ୨୭ରୁ ଊଦ୍ଧର୍‌ବ ଘର ଭାଙ୍ଗଥିବା ବେଳେ ୧୨୦ରୁ ଊଦ୍ଧର୍‌ବ ଘରର ଛପର ନଷ୍ଟ ହୋଇଯାଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ସର୍ଭେ କରାଯାଇ ଆବାସ ଯୋଜନାରେ ପକ୍କାଘର ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଉକ୍ତ ଅଞ୍ଚଳବାସୀଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସରକାରଙ୍କ ନିକଟରୁ ଅନୁମତି ଲୋଡ଼ାଯାଇଛି। ସରକାର ସହମତି ପ୍ରକାଶ କଲେ ଆଗାମୀ ଦିନରେ ସେଠାରେ ଆବାସ ନେଇ ରହିଥିବା ଅସୁବିଧା ଦୂର ହୋଇପାରିବ।

ଆବାସ ତ ଦୂରର କଥା ପଲିଥିନ ମିଳୁନି
ମୂଲ ମଜୁରି କରି ଯେତିକି ରୋଜଗାର କରୁଛୁ ପରିବାର ଚଳାଇବାକୁ ନିଅଣ୍ଟ ପଡୁଛି। ତେଣୁ ଚାଳ ଛପର ମରାମତି କରିପାରୁ ନାହୁଁ। ଆବାସ ପାଇବା ତ ଦୂରର କଥା ୩ଥର ତହସିଲ ଓ ରାଜସ୍ବ ନିରୀକ୍ଷକଙ୍କ ନିକଟକୁ ଧାଇଁବା ପରେ ପାଲ ଖଣ୍ଡେ ମିଳିଛି।
-ସବିତା ନାଏକ, ବସନ୍ତପୁର ହରିଜନ ସାହି

ଘରଟିଏ ମିଳିଲେ ଶାନ୍ତି ପାଆନ୍ତି
ସ୍ବାମୀଙ୍କ ମୃତ୍ୟୁ ପରଠାରୁ ଏକା ଓ ଅସହାୟ ହୋଇପଡ଼ିଛି। ଅଲଗା ରହୁଥିବା ପୁଅର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନୁହେଁ। ତେଣୁ ଛପର ମରାମତି ପାଇଁ ପଇସା ପାଇବି କେଉଁଠୁ। ଲଗାଣ ବର୍ଷାରେ ଘରେ ଆଣ୍ଠୁଏ ପାଣି ରହିଥିଲା। ପ୍ରଶାସନ ଘର ଖଣ୍ଡିଏ ଯୋଗାଇ ଦେଲେ ଶାନ୍ତିରେ ନିଃଶ୍ବାସ ନେଇପାରନ୍ତି।
-କୁନ୍ତଳା ନାଏକ

ଦୀର୍ଘବର୍ଷ ହେଲା କେବଳ ପ୍ରତିଶ୍ରୁତି
ଦୀର୍ଘ ୨୦ ବର୍ଷ ହେବ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ପଞ୍ଚାୟତରୁ ବ୍ଲକ ପ୍ରଶାସନ ଯାଏ ଧାଉଁଛି। ହେଲେ ପ୍ରତିଶ୍ରୁତି ଛଡ଼ା ଅନ୍ୟ କିଛି ମିଳୁନି। ପ୍ରଶାସନ ଅନେକ ଥର ସର୍ଭେ କରିଥିଲେ ମଧ୍ୟ ଘର ଦେବା ବ୍ୟବସ୍ଥା କରୁନାହିଁ।
-ମଙ୍ଗୁଳୁ ନାଏକ

ପ୍ରଶାସନ ତଦନ୍ତ କରି ପଦକ୍ଷେପ ନେଉ
ବସନ୍ତପୁର ପଞ୍ଚାୟତ ହରିଜନ ସାହିର ୩ଟି ୱାର୍ଡବାସୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ଚାଳ ଛପର ମରାମତି ପାଇଁ ସେମାନଙ୍କ ସାମର୍ଥ୍ୟ ନ ଥିବାରୁ ଦୀର୍ଘବର୍ଷ ହେଲା ଶତାଧିକ ପରିବାର ଘର ଉପରେ ଜରିପାଲ ପକାଇ ରହିଛନ୍ତି। ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ଆବାସ ଯୋଜନାରେ ଘର ଯୋଗାଇ ଦେଉ।
-ଲକ୍ଷ୍ମୀ ସାମଲ, ସରପଞ୍ଚ, ବସନ୍ତପୁର

ସ୍ଥିତି ଅନୁଧ୍ୟାନ ପରେ ପଦକ୍ଷେପ
ନୂତନ ଭାବେ ଯୋଗ ଦେଇଥିବାରୁ ସମସ୍ୟା ବିଷୟରେ ଅବଗତ ନାହିଁ। ଏ ନେଇ ବିଭାଗୀୟ କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ପରେ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।

-ତ୍ରିବିକ୍ରମ କୁମୁରା, ବିଡିଓ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri