ଭୁବନେଶ୍ୱର,୨୦ା୨: ଖୁବଶୀଘ୍ର ଆସିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଏନେଇ ଓଡ଼ିଶା ସରକାର ଆଗୁଆ ସୂଚନା ଦେଇ ସାରିଛନ୍ତି। ଯଦି ଆପଣ ଜଣେ ଆବେଦନକାରୀ, ତେବେ ଟଙ୍କା ପାଇବା ପୂର୍ବରୁ ନିଜର e-KYC ଏବଂ ବ୍ୟାଙ୍କ ସ୍ଥିତି ଯାଞ୍ଚ କରିନେବା ଜରୁରୀ।
ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ସଶକ୍ତିକରଣ ପାଇଁ ସରକାର ୫ ବର୍ଷ ମଧ୍ୟରେ ୫୦,୦୦୦ ଟଙ୍କା ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ଚତୁର୍ଥ କିସ୍ତିର ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯିବ।
ଏହି ଯୋଜନାରେ ସରକାର ପ୍ରତି ବର୍ଷ ୧୦,୦୦୦ ଟଙ୍କା ଦୁଇଟି କିସ୍ତିରେ (୫,୦୦୦ + ୫,୦୦୦) ଯୋଗ୍ୟ ମହିଳା ମାନଙ୍କୁ ପ୍ରଦାନ କରୁଛନ୍ତି। ସାଧାରଣତଃ ଆନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ ୮) ଏବଂ ରକ୍ଷା ବନ୍ଧନ ଅବସରରେ ଏହି ଅର୍ଥ ପ୍ରଦାନ କରାଯାଏ। ତେଣୁ ଆଗାମୀ ମାର୍ଚ୍ଚ ୮ ତାରିଖରେ ଏହି ଚତୁର୍ଥ କିସ୍ତି ମିଳିବ।
ଯୋଗ୍ୟତା ମାନଦଣ୍ଡ
ଆବେଦନକାରୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ସହ NFSA/SFSS ଅନ୍ତର୍ଭୁକ୍ତ ହୋଇଥିବା ଆବଶ୍ୟକ।
ବୟସ ସୀମା: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ହିତାଧିକାରୀଙ୍କ ଜନ୍ମ ତାରିଖ ୦୨.୦୪.୧୯୬୫ ଠାରୁ ୦୧.୦୪.୨୦୦୪ ମଧ୍ୟରେ ହୋଇଥିବା ଦରକାର (୨୧ ରୁ ୬୦ ବର୍ଷ)। ପରିବାରର ବାର୍ଷିକ ଆୟ ୨.୫୦ ଲକ୍ଷ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ।
କାହାକୁ ମିଳିବ ନାହିଁ ଏହି ସୁବିଧା (ଅଯୋଗ୍ୟତା)?
ମାସିକ ୧,୫୦୦ ଟଙ୍କାରୁ ଅଧିକ ସରକାରୀ ସହାୟତା (ପେନସନ/ଛାତ୍ରବୃତ୍ତି) ପାଉଥିବା ମହିଳା। ଆୟକରଦାତା କିମ୍ବା ସରକାରୀ ଚାକିରିଆ ଥିବା ପରିବାର। ଯେଉଁମାନଙ୍କ ପାଖରେ ୪ ଚକିଆ ମୋଟର ଯାନ ଅଛି (ଟ୍ରାକ୍ଟର କିମ୍ବା ହାଲୁକା ବାଣିଜ୍ୟିକ ଯାନକୁ ଛାଡ଼ି)। ଯେଉଁମାନଙ୍କର ୫ ଏକରରୁ ଅଧିକ ଜଳସେଚିତ ବା ୧୦ ଏକରରୁ ଅଧିକ ଅଣ-ଜଳସେଚିତ ଜମି ଅଛି।