ବରଗଡ଼,୧୧ା୧(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଅବ୍ୟବସ୍ଥା ଅଭିଯୋଗରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଚାଷୀମାନେ କେବଳ ରାଜରାସ୍ତାକୁ ଓହ୍ଲାଉଛନ୍ତି, ତାହା ନୁହେଁ। ଶାସକ ଦଳର ନେତା, ମନ୍ତ୍ରୀଙ୍କୁ ସେଥିପାଇଁ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡୁଛି। ଶନିବାର ସୁବର୍ଣ୍ଣପୁରରେ ଚାଲିଥିବା ଏକ ମହୋତ୍ସବରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଯୋଗଦେଇ ଥିବାବେଳେ ଏକ ଚାଷୀ ସଂଗଠନର ପ୍ରତିନିଧିମାନେ ବିରୋଧ ପ୍ରଦର୍ଶନ କରିଥିଲେ। ସେହିପରି ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କନବାର ଅଞ୍ଚଳରେ ଚାଲିଥିବା ଏକ କାର୍ଯ୍ୟକ୍ରମକୁ ଯାଇଥିବା ଖବର ପାଇ ଅଞ୍ଚଳର ଚାଷୀମାନେ ସେଠାକୁ ପହଞ୍ଚି ତାଙ୍କୁ ଘେରି ଧାନ କିଣାବିକା ଅବ୍ୟବସ୍ଥାରେ ଜଣାଇଥିବା ବ୍ୟଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି ଆଗକୁ ଆହୁରି ଅନେକ ଶାସକ ଦଳର ନେତା, ମନ୍ତ୍ରୀ ତଥା ଜନ ପ୍ରତିନିଧି ଚାଷୀଙ୍କ ଏଭଳି ଆକ୍ରୋଶର ସମ୍ମୁଖୀନ ହେବାର ଆଶଙ୍କା ଦେଖାଯିବା ସହିତ ଅପ୍ରୀତିକର ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ଏଥିପ୍ରତି ସତର୍କ ଦୃଷ୍ଟି ରଖି ପୋଲିସ ମଧ୍ୟ ଆଗୁଆ ପଦକ୍ଷେପ ନେବାକୁ ଆଗଭର ହୋଇଥିବା ପରିଲକ୍ଷିତ ହୋଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମରେ ଥିବାବେଳେ ରବିବାର ବରଗଡ଼ ପୋଲିସ ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନର ମୁଖ୍ୟ କାର୍ଯ୍ୟକର୍ତ୍ତାମାନଙ୍କୁ ବରଗଡ଼ ଗ୍ରାମାଞ୍ଚଳ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ଉକ୍ତ ଚାଷୀ ସଂଗଠନର ଜିଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ସଂଗଠନ ସମ୍ପାଦକ ଅରୁଣ ପ୍ରଧାନ, କାର୍ଯ୍ୟାଳୟ ସମ୍ପାଦକ କିଶୋର ସାହୁ, ଅତାବିରା ବ୍ଲକ ସମ୍ପାଦକ ଜିତୁ ବେହେରା ଏବଂ ଲଳିତ ପ୍ରଧାନଙ୍କୁ ଘରୁ ଉଠାଇ ଆଣି ବରଗ ଗ୍ରାମାଞ୍ଚଳ ଥାନାରେ ଅଟକ ରଖି ସନ୍ଧ୍ୟାରେ ଛାଡ଼ିଥିବା ସୂଚନା ମିଳିଛି। ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।


