ରୁପ୍ରାରୋଡ,୧୨ା୧(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ବି ବ୍ଲକର ବିଭିନ୍ନ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ପଡିରହିଛି। ଟୋକନ ପାଇଥିବା ସତ୍ତ୍ୱେ ଧାନ ଉଠୁ ନ ଥିବାରୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏପରି କି ମଣ୍ଡିରେ ଧାନ ପକାଇ ହାଡ଼ ଭଙ୍ଗା ଶୀତରେ ଖୋଲା ଆକାଶ ତଳେ ପଡିରହୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ମିଲର୍ସମାନେ ପର୍ଯ୍ୟାପ୍ତ ଅଖାବସ୍ତା ନ ଦେବା ଫଳରେ ଚାଷୀ ମଣ୍ଡିକୁ ଧାନ ଆଣିବାରେ ବିଳମ୍ବ ଘଟୁଛି।
ଏହାର ଭିତରେ କେତେଜଣଙ୍କ ଟୋକନ ଲାପ୍ସ ହେବାକୁ ବସିଛି। ଅବ୍ୟବସ୍ଥା ସଂକ୍ରାନ୍ତରେ ବିଭିନ୍ନ ପାକ୍ସ ସମ୍ପାଦକଙ୍କୁ ପଚାରିବାରୁ ଯାହାର ଧାନ ବିକ୍ରି ଟୋକନ ଲାପ୍ସ ହେବାକୁ ବସିଛି ତାର ଅବଧି ବଢ଼ାଯାଇ ପାରିବ। କିଛି ମିଲର୍ସ ଠିକ୍ ସମୟରେ ଅଖାବସ୍ତା ଫେରାଉ ନ ଥିବାରୁ ଚାଷୀଙ୍କୁ ଆବଶ୍ୟକତା ଅନୁଯାୟୀ ଅଖା ବସ୍ତା ମିଳୁ ନ ଥିବା ସେମାନେ ସ୍ବୀକାର କରିଥିଲେ।
ଏଭଳି ସମସ୍ୟା ଲାଗିରହିଲେ ଚାଷୀ ବାଧ୍ୟ ହୋଇ ରାଜରାସ୍ତାକୁ ଓ଼ହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି। ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ ପାଇଁ କୃଷକ ନେତା ଦୁର୍ଯ୍ୟୋଧନ କୁମାରଙ୍କ ସମେତ ଘନଶ୍ୟାମ ମାଝୀ, ଟଙ୍କଧର ମାଝୀ, ଦିପୁ ପାତ୍ର, ବିନୋଦ ବିହାରୀ ଭଞ୍ଜ, ଧରଣୀଧର ଧଙ୍ଗଡ଼ାମାଝୀ ପ୍ରମୁଖ ଦାବି କରିଛନ୍ତି।


