ଲୋଇସିଂହା,୭ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବଡ଼ଟିକା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣରେ ଚଞ୍ଚକତା ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାକୁ ବ୍ଲକ ପ୍ରଶାସନ ସମ୍ବେଦନ ସହ ନେଇଛନ୍ତି। ଏହି ଅନିୟମିତତା ଉପରେ ସ୍ବତନ୍ତ୍ର ଭାବେ ସେ ତଦନ୍ତ କରିବେ ବୋଲି ବିଡିଓ ମହାପତ୍ର କୁଲଦୀପ ମହାନ୍ତି କହିଛନ୍ତି। ଅପରପକ୍ଷେ ଏହି ଘଟଣାକୁ ନେଇ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଦାଶ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି।
ଆଗଲପୁର ବ୍ଲକ ବଡ଼ଟିକା ପଞ୍ଚାୟତର ବଡ଼ଟିକା ଟାଙ୍ଗରପଡ଼ା ଅଞ୍ଚଳର ବାପ ଘରେ ରହୁଥିବା ଜଣେ ମହିଳା ହିତାଧିକାରୀ ପଞ୍ଚାୟତରୁ କାର୍ଯ୍ୟାଦେଶ ପାଇଛନ୍ତି। ଏକ ପୁରୁଣା ଘରକୁ ମରାମତି କରି ବିଲ ହଡ଼ପ ପାଇଁ ମସୁଧା ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ମହିଳା ଜଣକ ସ୍ବାମୀଙ୍କ ଦେହାନ୍ତ ପରେ ଲୋଇସିଂହା ବ୍ଲକ ଘୁଙ୍ଗି ଗ୍ରାମରେ ଥିବାବେଳେ ୪ବର୍ଷ ପୂର୍ବେ ସେଠାକାର ପ୍ରଶାସନ ପକ୍ଷରୁ ଏକ ଆବାସ ଘର ହାତେଇ ଥିବା ନେଇ ଅଭିଯୋଗ ହୋଇଛି। ବଡ଼ଟିକା ପଞ୍ଚାୟତ ଟାଙ୍ଗରପଡ଼ାରେ ଗୋଟିଏ ଘରକୁ ଦେଖାଇ ଏକାଧିକ ହିତାଧିକାରୀ ସରକାରୀ ଅନୁଦାନ ଆତ୍ମସାତ କରିଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ଗ୍ରାମବାସୀ।