ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ ପ୍ରକଳ୍ପରୁ ସାମଗ୍ରୀ ଚୋରି ଅଭିଯୋଗରେ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲା କାଶିପୁର ଥାନା ଝୁଲକାଗୁଡା ଗ୍ରାମର ଦେବ ଗୌଡ (୨୬), ଶ୍ରୀରାମ ଗୌଡ (୪୫), ବାସୁ ଗୌଡ (୩୮) ଓ ଜଗନ୍ନାଥ ଗୌଡ (୩୧)।
ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ‘କାମପା’ (CAMPA) ଯୋଜନାରେ କୁମଯୋର ଗ୍ରାମ ନିକଟସ୍ଥ ପାଟଜୋର ଡଙ୍ଗରର ୩୦ ହେକ୍ଟର ପରିମିତ ଜମିରେ କାଜୁ, ପଣସ ଓ ଶିଶୁ ଭଳି ମୂଲ୍ୟବାନ ବୃକ୍ଷରୋପଣ କରାଯାଇଥିଲା। ଏହାର ସୁରକ୍ଷା ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ୨୮୦ଟି ଲୁହା ଖୁଣ୍ଟ ଓ ତାର ଜାଲି ଘେରାଯାଇଥିଲା। ତେବେ ଗତ କିଛି ଦିନ ହେବ ଏଠାରୁ ଲଗାତାର ସାମଗ୍ରୀ ଚୋରି ହେଉଥିବା ନେଇ ବନ ବିଭାଗ ନିକଟରେ ଖବର ଥିଲା। ରେଞ୍ଜ ଅଧିକାରୀ ତ୍ରିନାଥ ସେଠୀଙ୍କ ତତ୍ତ୍ୱାବଧାନ ଓ ବନପାଳ ଏକାଦଶୀ ନାଏକଙ୍କ ନେତୃତ୍ୱରେ ବନ କର୍ମଚାରୀ ଓ ନାଇଟ ଓ୍ବାଚର୍ମାନେ ବୁଧବାର ରାତିରେ ସ୍ବତନ୍ତ୍ର ପାଟ୍ରୋଲିଂ କରିଥିଲେ। ବୁଧବାର ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ୪୦ଟି ଲୁହା ଖୁଣ୍ଟ ଓ ୧୦ଟି ତାର ଜାଲି ଚୋରି କରୁଥିବା ବେଳେ ବନ ବିଭାଗ ଟିମ ସେମାନଙ୍କୁ ଚତୁରତାର ସହ ଘେରି ଯାଇ କାବୁ କରିଥିଲେ। ପୂର୍ବରୁ ମଧ୍ୟ ଏହି ପ୍ରକଳ୍ପରୁ ୪୦ଟି ଖୁଣ୍ଟ ଓ ୧୦ଟି ଜାଲି ଚୋରି ହୋଇଥିବା ଜଣାପଡ଼ିଛି। ଏ ନେଇ ବନ ବିଭାଗ ପକ୍ଷରୁ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ କେସ ନମ୍ବର ୧୬/୨୬ରେ ମାମଲା ରୁଜୁ କରିଥିଲା। ଅଭିଯୁକ୍ତଙ୍କ ନିକଟରୁ ୬ଟି ଲୁହା ଆଙ୍ଗେଲ ଏବଂ ପ୍ରାୟ ୧୫୦ ଫୁଟ ଲମ୍ବର ୩ ବଣ୍ଡଲ ତାର ଜବତ କରାଯାଇଛି। ଶୁକ୍ରବାର ସମସ୍ତ ଅଭିଯୁକ୍ତଙ୍କୁ ଭବାନୀପାଟଣା କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।