ତେହେରାନ/ଜେରୁଜେଲମ,୧୫।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ମୋଡ଼ ନେଇଛି। ରବିବାର ଇରାନର ଶକ୍ତିଶାଳୀ ସେନା ‘ରିଭୋଲ୍ୟୁସନାରୀ ଗାର୍ଡସ’ (IRGC) ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସିଧାସଳଖ ହତ୍ୟା ଧମକ ଦେଇଛି। ଏହି ବୟାନ ପରେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି।
ସମ୍ବାଦ ସଂସ୍ଥା APର ରିପୋର୍ଟ ଅନୁଯାୟୀ, IRGC ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି ଯେ, ଯଦି “ଅପରାଧୀ ଜିଓନିଷ୍ଟ ପ୍ରଧାନମନ୍ତ୍ରୀ” (ନେତାନ୍ୟାହୁ) ଏବେ ବି ଜୀବିତ ଅଛନ୍ତି, ତେବେ ତାଙ୍କୁ ଖୋଜି ବାହାର କରି ହତ୍ୟା କରିବା ପାଇଁ ଅଭିଯାନ ଜାରି ରହିବ। ଇରାନ ନିଜର ସମସ୍ତ ଶକ୍ତି ଲଗାଇ ନେତାନ୍ୟାହୁଙ୍କ ପିଛା କରିବ ବୋଲି ଏହି ବୟାନରେ ଉଲ୍ଲେଖ କରାଯାଇଛି। ତେବେ ଏହି ଧମକପୂର୍ଣ୍ଣ ବୟାନ ଉପରେ ଇସ୍ରାଏଲ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।
ଏହି ଧମକ ମଧ୍ୟରେ ନେତାନ୍ୟାହୁ ଏବେ କେଉଁଠି ଅଛନ୍ତି, ତାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠିଛି। ବିଶେଷ କରି ମାର୍ଚ୍ଚ ୧୨ ରେ ହୋଇଥିବା ତାଙ୍କର ଏକ ପ୍ରେସ କନଫରେନ୍ସ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଛଅଟି ଆଙ୍ଗୁଠି ବିବାଦ: ଭାଇରାଲ ହେଉଥିବା ଭିଡିଓରେ ନେତାନ୍ୟାହୁଙ୍କ ଗୋଟିଏ ହାତରେ ଛଅଟି ଆଙ୍ଗୁଠି ଥିବା ଭଳି ଦେଖାଯାଉଛି। ଏହାକୁ ଦେଖି ଅନେକ ୟୁଜର୍ସ ଦାବି କରୁଛନ୍ତି ଯେ, ଏହି ଭିଡିଓଟି ଅସଲି ନୁହେଁ ବରଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ ତିଆରି କରାଯାଇଛି। ନେତାନ୍ୟାହୁଙ୍କ ଅବସ୍ଥିତିକୁ ଲୁଚାଇବା ପାଇଁ ଏଭଳି ଏଡିଟେଡ୍ ଭିଡିଓ ଜାରି କରାଯାଇଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୮ ତାରିଖରୁ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ବ୍ୟାପକ ବିମାନ ଆକ୍ରମଣ ଜାରି ରଖିଛନ୍ତି। ଏହି ଆକ୍ରମଣ ପରେ ନେତାନ୍ୟାହୁ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସି ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତବା ଖାମେନେଇଙ୍କୁ ଟାର୍ଗେଟ କରିଥିଲେ। ସେ ପରୋକ୍ଷରେ ଖାମେନେଇଙ୍କୁ ହତ୍ୟା କରିବାକୁ ଧମକ ଦେବା ସହ ଇରାନ ବିରୋଧରେ ଚାଲିଥିବା ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ଉଚିତ ବୋଲି ଦର୍ଶାଇଥିଲେ।

