ନୂଆଦିଲ୍ଲୀ,୧୪।୧: ଇରାନରେ ଜାରି ରହିଥିବା ସରକାର ବିରୋଧୀ ବିକ୍ଷୋବ ଭୟଙ୍କର ହେବାରେ ଲାଗିଛି। ଏହି ବିକ୍ଷୋବରେ ସାମିଲ ହୋଇଥିବା ପ୍ରାୟ ଅଢେଇ ହଜାର ଲୋକେ ମୃତ୍ୟୁ ବରଣ କଲେଣି। ଏହାରି ମଧ୍ୟରେ ଆନ୍ଦୋଳନରେ ସାମିଲ ହେବା ଅପରାଧରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଯାଇଛି।
ବୁଧବାର ଭୋର ସମୟରେ ଇରଫାନ ସୋଲତାନିଙ୍କୁ ଫାଶୀ ଦିଆଯାଇଛି। ଗିରଫ ହେବାର ମାତ୍ର ଏକ ସପ୍ତାହ ମଧ୍ୟରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଘଟଣା ବିଶ୍ୱବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଇରଫାନ ସୋଲତାନିଙ୍କୁ ଜାନୁଆରୀ ୮ ତାରିଖରେ କରଜ ଅଞ୍ଚଳରୁ ଗିରଫ କରାଯାଇଥିଲା। ଗିରଫର ମାତ୍ର ୩ ଦିନ ପରେ ତାଙ୍କ ପରିବାରକୁ ଜଣାଇ ଦିଆଯାଇଥିଲା ଯେ, ତାଙ୍କୁ ମୃତ୍ୟୁଦଣ୍ଡ ମିଳିଛି ଏବଂ ଜାନୁଆରୀ ୧୪ରେ ଏହା କାର୍ଯ୍ୟକାରୀ ହେବ।
ପ୍ରଶାସନ ଇରଫାନଙ୍କ ପରିବାରକୁ ଶେଷ ଦେଖା ପାଇଁ ମାତ୍ର ୧୦ ମିନିଟର ସମୟ ଦେଇଥିଲେ। ପରିବାର ଲୋକଙ୍କୁ ଚେତାବନୀ ଦିଆଯାଇଛି ଯେ, ଯଦି ସେମାନେ ଏ ବିଷୟରେ କାହାକୁ ଜଣାନ୍ତି, ତେବେ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଗିରଫ କରାଯିବ।
ଇରଫାନଙ୍କ ଉପରେ ‘ମୋହରେବେ’ ବା ‘ଈଶ୍ୱରଙ୍କ ବିରୋଧରେ ଶତ୍ରୁତା’ କରିଥିବା ଅଭିଯୋଗ ଲଗାଯାଇଛି। ମାନବାଧିକାର କର୍ମୀଙ୍କ ଅନୁଯାୟୀ, ଇରଫାନଙ୍କୁ କୌଣସି ଓକିଲ କିମ୍ବା ପରିପକ୍ୱ ନ୍ୟାୟିକ ପ୍ରକ୍ରିୟାର ସୁଯୋଗ ଦିଆଯାଇ ନାହିଁ।
ଇରାନରେ ମୁଦ୍ରାସ୍ଫୀତି ଏବଂ ଆର୍ଥିକ ସଂକଟକୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ସରକାର ବିରୋଧୀ ଆନ୍ଦୋଳନରେ ପରିଣତ ହୋଇଛି। ଗତ ୨୦ ଦିନ ମଧ୍ୟରେ ପାଖାପାଖି ୨,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ପ୍ରାୟ ୨୦,୦୦୦ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ପ୍ରାୟ ୫ ଦିନ ହେବ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାରେ ଇରାନ ସରକାରଙ୍କୁ କଠୋର ଚେତାବନୀ ଦେଇଛନ୍ତି। ଯଦି ପ୍ରଦର୍ଶନକାରୀଙ୍କୁ ଫାଶୀ ଦିଆଯାଏ, ତେବେ ଆମେରିକା ପକ୍ଷରୁ ‘ଅତ୍ୟନ୍ତ କଠୋର ପଦକ୍ଷେପ’ ନିଆଯିବ ବୋଲି ସେ ଜଣାଇଛନ୍ତି। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ ଏହାକୁ ଏକ ‘କ୍ଷେତ୍ରୀୟ ପ୍ରାଣଦଣ୍ଡ’ ବୋଲି କହି ନିନ୍ଦା କରିଛି।


