ଛତ୍ରପୁର,୪।୮ (ଦିଲ୍ଲୀପ ସାମଲ): ଅଗଷ୍ଟ ୧୫ ତଥା ସ୍ବାଧିନତା ଦିବସରେ ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ରକାର୍ଯ୍ୟକ୍ରମରେ ଯୋଗଦେବେ ଗଞ୍ଜାମ ଜିଲାର ଲକ୍ଷପତି ଦିଦି ତଥା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାଳିଆବାଲି ଗ୍ରାମର ଏସ. ଜ୍ୟୋତି ରେଡ୍ଡୀ । ଏଥିଲାଗି ତାଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଛି । ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସୋମବାର ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷଠାରେ ଏସ. ଜ୍ୟୋତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ । ଏହା ସହ ସେ ଗଞ୍ଜାମର ନାମ ରଖିଥିବା କଥା ମଧ୍ୟ ଜିଲାପାଳ ତାଙ୍କୁ କହିଛନ୍ତି। ଏହି ଅବସରରେ ଓଡ଼ିଶା ଜୀବିକା ମିଶନର ଡିପିଏମ ସନ୍ତୋଷ ରଥ ଓ ଛତ୍ରପୁର ବ୍ଲକର ବିପିଏମ ମାନୀନୀ ଜେନାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ସୂଚନାଥାଉ କି, ଏସ. ଜ୍ୟୋତି ରେଡ୍ଡୀ ନିଜେ ସାମ୍ବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ପନ୍ଥା ଦେଖାଇଛନ୍ତି । ତାଙ୍କର କର୍ତ୍ତବ୍ୟନିଷ୍ଠ ଓ ପରିଶ୍ରମ ବଳରେ ସେ ଲକ୍ଷପତି ଦିଦି ହେବାର ସେ ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ପ୍ରଥମେ ୨୦୦୮ରେ ମା ସମଲେଶ୍ୱରୀ ସ୍ବୟଂ ସହାୟିକା ଗୋଷ୍ଠୀରେ ସାମିଲ ହୋଇ ଘରକୁ ଘର ବୁଲି ବିଦ୍ୟୁତ ଦେୟ ସଂଗ୍ରହ କରୁଥିଲେ । ପରେ ମିଶନ ଶକ୍ତି ଜରିଆରେ ନିଜେ ଋଣ ନେଇ କୁକୁଡା ଚାଷ, ମାଛ ଚାଷ ଆଦି କରି ଉତ୍ତମ ରୋଜଗାର କରିପାରିଛନ୍ତି । ଏବେ ତାଙ୍କର ବାର୍ଷୀକ ଆୟ ୪ ଲକ୍ଷରୁ ଅଧିକ ଥିବା ଯୋଗୁଁ ସେ ଲକ୍ଷପତି ଦିଦି ହୋଇପାରିଛନ୍ତି। ଏଣୁ ତାଙ୍କୁ ଅଗଷ୍ଟ ୧୫ ତାରିଖ ଦିନ ରାଷ୍ଟ୍ରପତିଙ୍କ ଭବନକୁ ଯିବା ପାଇଁ ନିମନ୍ତ୍ରଣ ଆସିଛି । ସେ ଏଥିରେ ବହୁତ ଖୁସି ଥିବା ସହ ଜିଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହଯୋଗ ଏବଂ ନିଜ ଉଦମ୍ୟ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି ।