ଦାରିଙ୍ଗବାଡି, ୨୬।୨(ଅରୁଣ ସାହୁ): ଛୋଟ ବଡ଼ ଉଦ୍ୟୋଗୀଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ଅର୍ଥ ଉପାର୍ଜନର ସୁଯୋଗ। ଏବେ କନ୍ଧମାଳ ଜିଲାବାସୀଙ୍କ ପାଇଁ ଆସିଯାଇଛି ଏଭଳି ସୁଯୋଗ। ପ୍ରଥମଥର ପାଇଁ ଦାରିଙ୍ଗବାଡିର ଇକୋ ରିଟ୍ରିଟରେ ଦୁଇ ଦିନିଆ ଇନଭେଷ୍ଟ କନ୍ଧମାଳ-୨୦୨୫ କାର୍ଯ୍ୟକ୍ରମ ହେବାକୁ ଯାଉଛି।
ଗୁରୁବାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଶୁକ୍ରବାର ଉଦଯାପନୀ ହେବ। କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ପରିଚାଳନା କରିବାକୁ ରହିଥିବାବେଳେ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦାନ କରିବେ। ଏଥିସହ ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲାର ଫୁଲବାଣୀ, ବାଲିଗୁଡା ଏବଂ ଜି. ଉଦୟଗିରି ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଅର୍ଥ ନିବେଶକାରୀଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଜିଲାର ବିଭିନ୍ନ ବ୍ଲକର ପ୍ରଶାସନିକ ଅଧିକାରୀ, ଜିଲା ଅଧିକାରୀ ଜିଲା ଶିଳ୍ପ କେନ୍ଦ୍ରର ଅଧିକାରୀମାନେ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମକୁ କିଭଳି ସୁଚାରୁରୂପେ କରାଯାଇପାରିବ ସେ ନେଇ ବାଲିଗୁଡା ଉପଜିଲାପାଳ ଡ଼ଃ ରୀନା ପ୍ରଧାନ,ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ପ୍ରମୁଖ ଏହାର ପରିଚାଳନା କରୁଛନ୍ତି।
ଏହି ଦୁଇ ଦିନିଆ କର୍ମଶାଳାରେ ପୁଞ୍ଜିପତି, ଉଦ୍ୟୋଗପତି ଠିକାଦାର ସଂସ୍ଥା, ବ୍ୟବସାୟିକ ଅନୁଷ୍ଠାନର ମୁଖିଆମାନେ ଯୋଗଦାନ କରିବେ। ମୁଖ୍ୟତଃ ଏହି କର୍ମଶାଳାରେ ଜିଲା ସମେତ ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ବିନିଯୋଗର ସୁଯୋଗ ସରକାରୀ-ଶିଳ୍ପ ସଂଳାପ, ବିଭିନ୍ନ କ୍ଷେତ୍ରରେ ଆତିଥ୍ୟ ବ୍ୟବସ୍ଥା ବିଭିନ୍ନ ବ୍ୟବସାୟିକ କ୍ଷେତ୍ରରେ ହିତାଧିକାରୀ ନେଟୱାର୍କିଂ ସୁଯୋଗ,ଏଗ୍ରୋ-ଟୁରିଜିମ ରେ ଅର୍ଥ ବିନିଯୋଗ ଓ ଏହାର ଫାଇଦା,ବିନିଯୋଗ ଜୋନ ଟୁର୍ ଏବଂ କନ୍ଧମାଳରେ ଅମଳ ହେଉଥିବା ବିଭିନ୍ନ ସାମଗ୍ରୀ ତଥା ହଳଦୀ, ତେନ୍ତୁଳି, ଷ୍ଟ୍ରବେରୀ,କଫି,ମାଣ୍ଡିଆ, ଆମ୍ବ, ଲିଚୁ, ପଣସ ଆଦିରୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରଗୁଡିକରେ କିଭଳି ଅର୍ଥ ବିନିଯୋଗ କରି ଅର୍ଥ ଉପାର୍ଜନ କରିବେ ସେନେଇ ଆଲୋଚନା କରାଯିବ। ଖବର ଲେଖିବା ସୁଦ୍ଧା ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୭୫ ଜଣ ଏବେ ସୁଦ୍ଧା ଅର୍ଥ ବିନିଯୋଗକାରୀ ଆସିବାକୁ ପ୍ରତିଶ୍ରୁତି ଦେଇସାରିଥିବା ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।


