ଗଜପତି,୧୧।୧(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ରାଣୀପେଣ୍ଠା ଗ୍ରାମ ନିକଟରେ ଗୋଟିଏ ଆବାସିକ ଘରେ କୌଣସି ଏକ ସଂଗଠନ ତରଫରୁ ଚାକିରି ଦେବା ନାମରେ ତାଲିମ ଦିଆଯାଉଥିଲା । ଏନେଇ ଖବର ପାଇ ପାରଳାଖେମୁଣ୍ଡି ପୋଲିସ ତଦନ୍ତ ପାଇଁ ଯାଇଥିବା ବେଳେ ସେଠାରେ ପୋଲିସ ଏବଂ ସମ୍ପୃକ୍ତ ସଂସ୍ଥାର କିଛି ବ୍ୟକ୍ତିଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ପାରଳାଖେମୁଣ୍ଡି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି ।
ସୂଚନା ଅନୁସାରେ, ବ୍ରେଭ ବ୍ଲୁମ୍ ନାମକ ସଂସ୍ଥା ତରଫରୁ ଜଳବାୟୁ ସୁରଖ୍ୟା ପରିଷଦ ଆରୋଗ୍ୟ ମିତ୍ର ପ୍ରଶିକ୍ଷଣ ଶିବିର ନାମରେ କିଛି ଆଦିବାସୀ ଛାତ୍ର ଛାତ୍ରୀଙ୍କ ତାଲିମ ଦିଆଯାଇଥିଲା । ଦୁଇ ଦିନ ଧରି ଚାଲିଥିବା ଏହି ତାଲିମକୁ ନେଇ ବିଭିନ୍ନ ଅଭିଯୋଗ ଉଠିଥିଲା ଯେ କୌଣସି ସରକାରି ଆନୁମତି ରହିନଥିବା ଏବଂ ତଦନ୍ତ ସମୟରେ ସମ୍ପୃକ୍ତ ସଂସ୍ଥା ତରଫରୁ ଆବଶ୍ୟକୀୟ କୌଣସି ଦସ୍ତାବିଜ ଉପସ୍ଥାପନ କରିପାରିନଥିଲେ । ତଦନ୍ତ ସମୟରେ ଯାଇଥିବା ପୋଲିସ ଅଧିକାରୀ ପ୍ରଫୁଲ୍ଲ ଜାଗାରଙ୍ଗା ଏବଂ ସଂସ୍ଥାର କର୍ମଚାରୀଙ୍କ ଧସ୍ତାଧସ୍ତିର ଶିକାର ହୋଇଥିଲେ। ଯାହାକୁ ନେଇ ପାରଳାଖେମୁଣ୍ଡି ଥାନାରେ ୫/୨୬ ରେ ଏକ ମାମଲା ରୁଜ୍ଜୁ କରି ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମଜେସ ଜେନା ଓ ଦୀପକ କରାଡ। ପୋଲିସ ଏମାନଙ୍କୁ ଗିରଫ କରି ଘଟଣାର ତଦନ୍ତ କରିବା ସହ କୋର୍ଟ ଚାଲାଣ କରାଯାଇଛି ।