ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍ପି ଅଭିଳାଷ ଜି. ସ୍ଥାନୀୟ ଏସପି ଅଫିସରେ ଏକ ଖବରଦାତା ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ବଲାଙ୍ଗୀର ଗେଟ୍ ସରୋବର ପଡାର ତରଣୀସେନ କୁମ୍ଭାର ଗତ ୪ ଅଗଷ୍ଟ ୨୦୨୫ରେ ସ୍ଥାନୀୟ ଏଚ୍ଡିଏଫସି ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ସ୍କୁଟି ଡିକିରେ ରଖି ନେଟ୍ ଶପ୍କୁ ଯାଇଥିଲେ। ଉକ୍ତ ଦୋକାନ ସମ୍ମୁଖରେ ସ୍କୁଟି ରଖିଥିବା ସମୟରେ ଅଭିଯୁକ୍ତମାନେ ଡିକି ଖୋଲି ନଗଦ ଟଙ୍କା ନେଇ ଚମ୍ପଟ ମାରିଥିଲେ l ପରେ ପୋଲିସ କେସ ନମ୍ବର ୫୧୪/୨୫ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା l ଟାଉନ ଥାନା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ ଉକ୍ତ ଲୁଟେରା ଦଳର ତିନି ଅଭିଯୁକ୍ତଙ୍କୁ ଗିରଫ କରିଛିି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରମୋଦ ସିଂ, ପ୍ରିନ୍ସ ସିଂ ଓ ରଞ୍ଜନ । ପୋଲିସ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଡିକି ଭାଙ୍ଗିବା ଉପକରଣ, ଅନେକ ଆଧାର କାର୍ଡ, ମୋଟରସାଇକେଲ ଓ ୧୦ଟି ମୋବାଇଲ ଜବତ କରିଛ। ଏହି ଗ୍ୟାଙ୍ଗ ବଲାଙ୍ଗୀର, ଟିଟଲାଗଡ ଓ କଳାହାଣ୍ଡି ଜିଲା ସମେତ ଛତିଶଗଡ଼ର ମହାସମୁନ୍ଦ ଜିଲା ଅଞ୍ଚଳରେ ଅନେକ ଚୋରି, ଲୁଟ୍ ମାମଲାରେ ସମ୍ପୃକ୍ତ ଥିବା କହିଛନ୍ତି । ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ, ଟାଉନ ଥାନା ଅଧିକାରୀ ଅବନୀ ସାହୁ ଓ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ l