ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବରଗଡ଼ ନେହେରୁ ଏସୋସିଏସନ ମହିଳା ସମିତି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମିତିର ସଭାପତି ସୁଷମା ଭୋଇ ସ୍ୱାଗତ ଭାଷଣ ଦେଇ ସମାଜରେ ମହିଳାଙ୍କ ମାନବତାମୂଳକ ସେବା ଓ ରକ୍ତଦାନ ଭଳି ପବିତ୍ର କାର୍ଯ୍ୟର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ । ଏହି ଅବସରରେ ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ସମିତି ପକ୍ଷରୁ ଆୟୋଜିତ ହୋଇ ଥିବା ମହିଳା ସ୍ବତନ୍ତ୍ର ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ୩୩ ଜଣ ସ୍ୱେଚ୍ଛାସେବୀ ମହିଳା ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ଆସିଷ୍ଟାଣ୍ଟ୍ ପ୍ରଫେସର ଡା. ପ୍ରଭାଷିନୀ ମୁଖ୍ୟବକ୍ତାଭାବେ ଯୋଗଦେଇ ଅନ୍ତର୍ଜାତିକ ମହିଳା ଦିବସକୁ ଏକ ସଂକଳ୍ପର ପ୍ରତିଜ୍ଞା ଭାବେ ବ୍ୟାଖ୍ୟା କରିଥିଲେ ।
ମହିଳା ଓ ପ୍ରସୂତୀ ବିଶେଷଜ୍ଞ ଡା. ଶିତଳ ଅଗ୍ରୱାଲ ସମ୍ମାନିତ ଅତିଥିଭାବେ ଯୋଗଦେଇ ରକ୍ତଦାନ କଲେ ଶରୀରରେ ଆଇରନର ସମତୁଳନ ରହିଥାଏ ଏବଂ ହୃଦରୋଗର ସମ୍ଭାବନା କମିଥାଏ ବୋଲି କହିଥିଲେ। ଏହା ସହିତ ମହିଳା ସମିତିର ରକ୍ତଦାନ ଶିବିରକୁ ପ୍ରଶଂସା କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ସଶକ୍ତିକରଣର ସମ୍ବେଦନଶୀଳ ଅଂଶ ଭାବେ ରକ୍ତଦାନକୁ ଉଲ୍ଲେଖ କରି ସମାଜସେବାରେ ମହିଳାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର, ନିଷ୍ଠା ପରିବାର ଏବଂ ଫର୍ ସଂସ୍ଥାକୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସମିତିର ସଦସ୍ୟା ଶିବାନୀ ଭୋଇ ଓ ରୁବି ନନ୍ଦ ମଞ୍ଚ ସଞ୍ଚାଳନ କରିଥିବା ବେଳେ ସମିତି ପରାମର୍ଶଦାତ୍ରୀ କଲ୍ୟାଣୀ ଦାଶ, ଉପସଭାପତି ରୀନା ବେହେରା, ସହ ସମ୍ପାଦିକା ପୁଷ୍ପମିତ୍ରା ପ୍ରଧାନ, ସଦସ୍ୟା ମନୋରମା ଦାଶ, ପିଙ୍କି ନନ୍ଦ, ଲକ୍ଷ୍ମୀପ୍ରିୟା ବିଶି, ପ୍ରଣତି ବେହେରା, ସୌଦାମିନୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସୁଭଦ୍ରା ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ବରଗଡ଼ ଡ଼ାଙ୍ଗ ନଦୀ ପଡ଼ା କଲ୍ୟାଣ ମଣ୍ଡପ ଠାରେ ଅବସର ପ୍ରାପ୍ତ ଶିକ୍ଷକ କପିଳେଶ୍ୱର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସୁନୀତା ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନରେ ମହିଳା ମାନଙ୍କ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ୱାର୍ଡସଭ୍ୟା ବାସମତୀ ବନଛୋର, ସାମାଜିକ କର୍ମୀ ସବିତା ମହଲା ପ୍ରମୁଖ ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହି ଏହି ଦିବସ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସାଲିନୀ ସା ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ “ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତି” ଶୀର୍ଷକ ସମ୍ବଳିତ ସଚେତନତା ପଦଯାତ୍ରା ବରଗଡ଼ ସହରରେ ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରା ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରୁ ବାହାରି ସହରବାସୀଙ୍କୁ ମହିଳାଙ୍କ ଆତ୍ମସୁରକ୍ଷା, ଆତ୍ମସମ୍ମାନ ଓ ଆତ୍ମସ୍ୱାଭିମାନ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲା । ଜିଲା କ୍ରୀଡା ଅଧିକାରୀ ଏ. କେ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଏବଂ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ସନ୍ଧ୍ୟାରାଣୀ ନେପାକ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଶୋଭାଯାତ୍ରା ଶୁଭାରମ୍ଭ କରିଥିଲେ।

