ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର କରିବା ଏବଂ ବିଶ୍ୱର ପର୍ବତ ଓ ଉଚ୍ଚଭୂମିରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସହଭାଗିତା ଗଠନ ଏହି ଦିବସ ପାଳନର ଲକ୍ଷ୍ୟ। ପର୍ବତଗୁଡ଼ିକ ବିଶ୍ୱର ୧୫% ଜନସଂଖ୍ୟାର ବାସସ୍ଥାନ ଏବଂ ବିଶ୍ୱର ପ୍ରାୟ ଅଧା ଜୈବ ବିବିଧତାର ଆକର୍ଷଣୀୟ ସ୍ଥାନଗୁଡ଼ିକୁ ଆଶ୍ରୟ ଦିଅନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ଅତ୍ୟଧିକ ଶୋଷଣ ଯୋଗୁ ପର୍ବତଗୁଡ଼ିକ ମଧ୍ୟ ବିପଦରେ ପଡ଼ିଛନ୍ତି। ଜଳବାୟୁ ଉଷ୍ମ ହେବା ଯୋଗୁ ପର୍ବତ ହିମବାହ ତରଳେ, ଯାହା ନିମ୍ନଗାମୀ ମଧୁର ଜଳ ଯୋଗାଣକୁ ପ୍ରଭାବିତ କରିପାରେ।
୨୦୦୨ ମସିହାରେ ଜାତିସଂଘ ସାଧାରଣ ସଭା ଡିସେମ୍ବର ୧୧କୁ ଅନ୍ତର୍ଜାତୀୟ ପର୍ବତ ଦିବସ ଭାବରେ ନାମିତ କରିଥିଲା। ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ(ଏଫ୍ଏଓ) ପର୍ବତ ସମସ୍ୟା ବିଷୟରେ ଅଧିକ ସଚେତନତା ବୃଦ୍ଧି ପାଇଁ ଏହି ଦିବସ ପାଳନ ଲାଗି ସମନ୍ବୟ କରିଥାଏ। ତେବେ ପର୍ବତଗୁଡ଼ିକରେ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ପର୍ବତ ଦିବସ ୨୦୦୩ ମସିହାରେ ପ୍ରଥମ ଥର ଲାଗି ପାଳିତ ହୋଇଥିଲା। ତେବେ ଚଳିତ ବର୍ଷ ଏହି ଦିବସ ଲାଗି ବିଷୟବସ୍ତୁ ରହିଛି ‘ପାହାଡ଼ ଓ ତା’ ବାହାରେ ଜଳ, ଖାଦ୍ୟ ଏବଂ ଜୀବିକା ପାଇଁ ହିମବାହ ଗୁରୁତ୍ୱପୂର୍ଣ୍ଣ। ଏହା ଜାତିସଂଘର ୨୦୨୫କୁ ଅନ୍ତର୍ଜାତୀୟ ହିମବାହ ସଂରକ୍ଷଣ ବର୍ଷ ଭାବରେ ଘୋଷଣା ସହିତ ସମନ୍ବୟ ରଖି ଜଳ ସୁରକ୍ଷା, ଖାଦ୍ୟ, ସ୍ବଚ୍ଛ ଶକ୍ତି ଓ ସାଂସ୍କୃତିକ ପରିଚୟରେ ହିମବାହର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଏସବୁର ସୁରକ୍ଷା ଲାଗି ଆବଶ୍ୟକତା ଉପରେ ଆଲୋକପାତ କରେ।


