ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ ହରାଉଥିବାରୁ ଏହାର ପୁନଃରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ ଲାଗି ସହରବାସୀ ଦୀର୍ଘ ବର୍ଷ ହେଲା ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ। ଗତ ୨୦୨୪ରେ ଗୋପାଳବନ୍ଧର ପଶ୍ଚିମ ପାଶର୍ବରୁ ପ୍ରାୟ ୧୫ ଫୁଟରୁ ଊର୍ଦ୍ଧ୍ୱ ଜାଗାକୁ ପୋତି ଗାର୍ଡୱାଲ ନିର୍ମାଣ କରି ସେହି ସ୍ଥାନରେ ବରିଷ୍ଠ ନାଗରିକଙ୍କ ପାଇଁ ଚିତ୍ତ ବିନୋଦନ ଲାଗି ଏକ ପାର୍କ ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଏନଏସି ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଥିଲା। ମାତ୍ର ପାର୍କ ଓ ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ କରିବା ପରିବର୍ତ୍ତେ ତରବରିଆ ଭାବରେ କେବଳ ବନ୍ଧକୁ ପୋତି ଗାର୍ଡୱାଲ କରିଦେଇ ଅଧାରୁ କାମ ବନ୍ଦକରି ଦେଇଥିଲା। ବର୍ତ୍ତମାନ ଏନଏସି ବରିଷ୍ଠ ନାଗରିକ ଓ ସହରବାସୀଙ୍କ ପାଇଁଆରମ୍ଭ କରିଥିବା କାର୍ଯ୍ୟକୁ ଉପେକ୍ଷା କରି ସୌନ୍ଦର୍ଯ୍ୟକରଣ, ପାର୍କ କରିବା ବଦଳରେ ସେଠାରେ ଫୁଡକୋର୍ଟର ଦୋକାନ ଗୃହ ନିର୍ମାଣ କରିବାକୁ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି। ଏହାକୁ ଅଞ୍ଚଳର ନାଗରିକ, ଜନସାଧାରଣ, ବୁଦ୍ଧିଜୀବୀ ଏହି ଫୁଡକୋର୍ଟ ଦୋକାନଗୃହ ନିର୍ମାଣକୁ ତୀବ୍ର ବିରୋଧ କରିଛନ୍ତି। ତୁରନ୍ତ ଏହି କାର୍ଯ୍ୟକୁ ବନ୍ଦକରି ସେଠାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବାକୁ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଏହି ବନ୍ଧର ଉତ୍ତରପାଶର୍ବକୁ କେତେ ଜଣ ବ୍ୟକ୍ତି ଜବରଦଖଲ କରି ରହିବା ସହ ସେଠାରେ ପାଇଖାନା ନିର୍ମାଣ କରି ପାଇଖାନାର ମଇଳା ପାଣି ବନ୍ଧକୁ ଛାଡୁଛନ୍ତି। ଉକ୍ତ ପାଣି ବନ୍ଧରେ ମିଶି ବନ୍ଧ ପାଣିକୁ ଦୂଷିତ କରୁଛି। ଫଳରେ ବନ୍ଧପାଣି ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଏହି ବେଆଇନ ଜବରଦଖଲକୁ ମଧ୍ୟ ତୁରନ୍ତ ହଟାଇବାକୁ ସହରବାସୀ ଦାବି କରିଛନ୍ତି। ମା’ ଦଣ୍ଡକାଳୀଙ୍କ ଯାତ୍ରା ଆସନ୍ତା ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ଏହା ଦୀର୍ଘ ୨୧ ଦିନ ଧରି ଏହି ବନ୍ଧରେ ହିଁ ଯାତ୍ରାର ଅଧିକାଂଶ ନୀତି ଚାଲିବ। ଗଛଲତାରେ ପରିପୁର୍ଣ୍ଣ ହୋଇ ଅପରିସ୍କାର ଭାବେ ପଡିଥିବା ଏହି ଗୋପାଳବନ୍ଧକୁ ପରିଷ୍କାର ପରିଚ୍ଛନ୍ନତା କରିବା ଲାଗି ଏକ ଦାବିପତ୍ର ଏନଏସି ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଜିଲାପାଳ, ପିଡି ଡୁଡା ଓ ଖଲ୍ଲିକୋଟ ବିଧାୟକଙ୍କ ନିକଟକୁ ମଧ୍ୟ ଦାବିପତ୍ର ପଠାଯାଇଛି। ଏହାକୁ ନେଇ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସହରି ବିକାଶ ଯୋଜନା ପ୍ରକଳ୍ପର ଅନୁମୋଦନ ହୋଇ ଆସିଥିଲା। ଏଠାରେ ଥିବା ଖୋଲାସ୍ଥାନର ଉନ୍ନତିକରଣ ସହ ଏକ ଫୁଡକୋର୍ଟ କରିବାର ଯୋଜନା ରହିଥିଲା। ମାତ୍ର ସେଥିମଧ୍ୟରୁ କେବଳ ଫୁଡକୋର୍ଟକୁ ସେଠାରେ ନ କରିବା ଲାଗି ସହରବାସୀ ଦାବି କରିଛନ୍ତି। ବର୍ତ୍ତମାନ ଫୁଡକୋର୍ଟ ଦୋକାନଗୃହ ନିର୍ମାଣ ଲାଗି ଟେଣ୍ଡର ହୋଇନାହିଁ। କେବଳ ଖୋଲାସ୍ଥାନର ଉନ୍ନତିକରଣ ଲାଗି ଟେଣ୍ଡର ହୋଇ କାର୍ଯ୍ୟ ଚାଲୁରହିଛି। ବରିଷ୍ଠ ନାଗରିକଙ୍କୁ ଆମେ ଗୁରୁତ୍ୱ ଦେଉଛୁ। ସେମାନଙ୍କ ସୁବିଧା ଲାଗିମଧ୍ୟ ପ୍ରକଳ୍ପମାନ କରିବାର ଯୋଜନା ରହିଛି। ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱଦେଇ ସେମାନଙ୍କ ଦାବି ଜିଲାପାଳ ଓ ନଗରଉନ୍ନୟନ ବିଭାଗକୁ ଜଣାଇବୁ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।