କର୍ତ୍ତବ୍ୟ ନିଷ୍ପାଦନର ନିଦର୍ଶନ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିଚୟରେ ଓଡ଼ିଶା ବିଶ୍ୱରେ ପରିଚିତ। ଶ୍ରୀଜଗନ୍ନାଥଙ୍କ ପାଖରେ ଭକ୍ତି ରଖିଥିବା ଭକ୍ତକୁ ପ୍ରଭୁ ନିଜର ବାହୁଛାୟା ତଳେ ଆଶ୍ରୟ ଦେଇଛନ୍ତି। ତେବେ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ସେବା ଏବଂ ଶ୍ରୀମନ୍ଦିରର ପରମ୍ପରାରୁ ଆମକୁ ଅନେକ କିଛି ଶିଖିବାର ଅଛି। ଭଗବାନ ଜଗନ୍ନାଥ ସ୍ବୟଂ ବିଷ୍ଣୁ ବୋଲି ଶାସ୍ତ୍ର ମତ ଦିଅନ୍ତି। ବିଷ୍ଣୁଙ୍କର ଦଶ ପ୍ରମୁଖ ଅବତାର। ପ୍ରତ୍ୟେକଟି ଅବତାର ସେ ଭକ୍ତମାନଙ୍କ ସୁରକ୍ଷା ପାଇଁ ଗ୍ରହଣ କରିଥା’ନ୍ତି। ଗୀତାରେ ପ୍ରଭୁ କହିଛନ୍ତି, ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ତେଣୁ ସେ ବିଭିନ୍ନ ଅବତାର ଗ୍ରହଣକରି କେତେବେଳେ ପୃଥିବୀର ଉଦ୍ଧାର କରିଛନ୍ତି । ସେହି ମହାପ୍ରଭୁଙ୍କୁ ସତ୍ୟଯୁଗର ନୃସିଂହ, ତ୍ରେତୟାର ଶ୍ରୀରାମ ଏବଂ ଦ୍ୱାପରର ଶ୍ରୀକୃଷ୍ଣ ଭାବରେ ଆମେ ଅଭିହିତ କରୁ। ଭଗବାନ ନୃସିଂହ ପ୍ରହଲ୍ଲାଦ ଭଳି ଭକ୍ତକୁ କୋଳେଇ ନେଇଛନ୍ତି। ରାକ୍ଷସ ପ୍ରବୃତ୍ତିଯୁକ୍ତ ହିରଣ୍ୟକଶିପୁର ବକ୍ଷ ବିଦାରଣ କରିଛନ୍ତି। ଏହି ନ୍ୟାୟରେ ପ୍ରଭୁଙ୍କର ପତିତପାବନୀ ଯାତ୍ରା ହେଉଛି ପତିତମାନଙ୍କର ଉଦ୍ଧାରର ଯାତ୍ରା। ପତିତ ଶବ୍ଦର ଅନେକ ଅର୍ଥ ମଧ୍ୟରୁ ଗୋଟିଏ ପ୍ରମୁଖ ଅର୍ଥ ହେଲା ବଳଶାଳୀ ବ୍ୟକ୍ତିମାନଙ୍କ ଦ୍ୱାରା ଯିଏ ଶୋଷିତ ତଥା ନିର୍ଯାତିତ। ସେହିଭଳି ବ୍ୟକ୍ତି ଭଗବାନଙ୍କୁ ଭକ୍ତି କରି ବିଶେଷ ଭାବରେ ଉପକୃତ ହୁଅନ୍ତି ଯଥା ଭକ୍ତ ପ୍ରହଲ୍ଲାଦ। ପତିତ ଶବ୍ଦଟି କୁକର୍ମ ଏବଂ ନିଚ କର୍ମ କରିଥିବା ବ୍ୟକ୍ତି ପାଇଁ ମଧ୍ୟ ପ୍ରୟୋଗ ହୁଏ। ଯେଉଁ ବ୍ୟକ୍ତି ଅସାମାଜିକ କର୍ମକରି ସମାଜରେ ଭୟଭ୍ରାନ୍ତି ସୃଷ୍ଟିକରେ ସେ ପତିତ। ସେଭଳି ଅନେକ ପାପୀ ସମାଜ ଦ୍ୱାରା ଘୃଣ୍ୟ ହୋଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରନ୍ତି ନାହିଁ। ସମୟକ୍ରମରେ ସେମାନେ ପରିବର୍ତ୍ତନ ହୁଅନ୍ତି ଏବଂ ସମାଜର ମୁଖ୍ୟ ସ୍ରୋତକୁ ଆସିବା ପାଇଁ ମାର୍ଗ ଖୋଜନ୍ତି। ସେହିଭଳି ଅନେକ ପତିତ ମହାପ୍ରଭୁଙ୍କର ଚରଣାଶ୍ରିତ ହୁଅନ୍ତି ଏବଂ ମହାପ୍ରଭୁ ପତିତପାବନୀ ଯାତ୍ରାରେ ତାଙ୍କୁ ଦର୍ଶନ ଦେଇ ଆଶ୍ୱସ୍ତ କରନ୍ତି।
ଏହି ଯାତ୍ରାର ଅନ୍ୟ ଏକ ନାମ ଜନ୍ମବେଦି ଯାତ୍ରା। ତେବେ ଏହି ନାମକରଣ ପଛରେ ମଧ୍ୟ ଏକ ବିଶେଷ ଉଦ୍ଦେଶ୍ୟ ରହିଛି। ଆମେ ଜାଣୁ ପ୍ରଭୁ ଶ୍ରୀରାମ ଯେବେ ଲଙ୍କା ବିଜୟ କଲେ କନିଷ୍ଠ ଭ୍ରାତା ଲକ୍ଷ୍ମଣ କହିଥିଲେ ହେ ଭ୍ରାତା! ଏହି ସ୍ବର୍ଣ୍ଣଲଙ୍କା ବର୍ତ୍ତମାନ ଆପଣଙ୍କ ହସ୍ତଗତ। ଆମ୍ଭର ରାଜ୍ୟ ଅଯୋଧ୍ୟା ଅପେକ୍ଷା ଲଙ୍କା ରାଜ୍ୟ ସମୁନ୍ନତ ଏବଂ ନାନା ରତ୍ନ ବୈଭବ ବିମଣ୍ଡିତ। ତେଣୁ ଆପଣ ଲଙ୍କାରେ ରହି ଏହି ସ୍ବର୍ଣ୍ଣ ରାଜ୍ୟକୁ ଶାସନ କରନ୍ତୁ। ଶ୍ରୀରାମ ଉପଦେଶ ଦେଇ କହିଥିଲେ, ଅପି ସ୍ବର୍ଣ୍ଣମୟୀ ଲଙ୍କା ନ ମେ ରୋଚତେ ଲକ୍ଷ୍ମଣ! ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରିୟସୀ। ଅର୍ଥାତ୍‌ ହେ ଲକ୍ଷ୍ମଣ! ଲଙ୍କା ସ୍ବର୍ଣ୍ଣ ଖଚିତ ହେଲେ ମଧ୍ୟ ଏଠାରେ ମୋର ମନ ଲାଗୁନାହିଁ। ମୋର ମା’ ଏବଂ ମାତୃଭୂମି ସର୍ବଦା ମୋ ପାଇଁ ସ୍ବର୍ଗଠାରୁ ମଧ୍ୟ ଶ୍ରେଷ୍ଠ। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ତାହା ହିଁ ଶିକ୍ଷା ଦେଉଛନ୍ତି। ବର୍ଷ ଯାକର ୩୫୮ ଦିନ ଶ୍ରୀମନ୍ଦିରରେ ନିତ୍ୟ ଉତ୍ସବ ପରିପାଳିତ ହେଲେ ମଧ୍ୟ ମହାପ୍ରଭୁଙ୍କୁ ତାହା ଆକର୍ଷିତ କରିପାରୁନାହିଁ। ଅଥଚ ଛେଚାକଚା ଖାଇ ସୁଦ୍ଧା ମହାପ୍ରଭୁ ନିଜର ଜନ୍ମଭୂମିକୁ ଯାଇ ପରମସୁଖ ପ୍ରାପ୍ତ ହେଉଛନ୍ତି। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ମହାପ୍ରଭୁ ନିଜର ଜନ୍ମଭୂମିକୁ ଛାଡ଼ି ପାରୁନାହାନ୍ତି। ଠିକ୍‌ ସେହିଭଳି ଭଗବାନ ଶ୍ରୀକୃଷ୍ଣ ଦ୍ୱାରକାପୁରୀର ରାଜା ହୋଇଥିଲେ ମଧ୍ୟ ଗୋପଦାଣ୍ଡର ବାଲିଖେଳ ପ୍ରତି ତାଙ୍କର ପ୍ରବଳ ଦୁର୍ବଳତା ରହିଥିଲା। ଭଗବାନ କୃଷ୍ଣ ଦ୍ୱାରକାର ରାଜା ଭାବରେ ସମାଜରେ ଯେତିକି ପରିଚୟ ପାଇନାହାନ୍ତି ତା’ଠାରୁ ଅଧିକ ପରିଚୟ ପାଇଛନ୍ତି ଯଶୋଦା ମାତାଙ୍କର ରଙ୍କୁଣୀ ଧନ ଭାବରେ, ଗୋପ ବାଳକ ଭାବରେ, ଯମୁନା ନଦୀର ଗଭୀର ଜଳରେ କ୍ରୀଡ଼ାରତ ଗୋପାଳ ଭାବରେ, ବୃନ୍ଦାବନର ଲୀଳାପୁରୁଷ ଭାବରେ ତଥା ଗୋସମ୍ପଦର ସୁରକ୍ଷା ପାଇଁ ଗୋବର୍ଦ୍ଧନଧାରୀ ଭାବରେ। ଏହା ଶିକ୍ଷା ଦେଉଛି କୃଷ୍ଣ ଅବତାରରେ ଶ୍ରୀକୃଷ୍ଣ ନିଜ ଜନ୍ମଭୂମି ଏବଂ ଜନନୀଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦାନ କରିଛନ୍ତି। ଆଜି ଶ୍ରୀଜଗ।ନ୍ନାଥ ମଧ୍ୟ ତାହା ହିଁ କରୁଛନ୍ତି ; ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ନିଜର ଜନ୍ମଭୂମିର ଉନ୍ନତି କରିବା ସହ ମାତୃ ସ୍ବରୂପିଣୀ ଗୁଣ୍ଡିଚା ରାଣୀଙ୍କୁ ସମ୍ମାନ ଦେଉଛନ୍ତି। ଏହା ଶିକ୍ଷା ଦେଉଛି ଯଦି ସ୍ବୟଂ ଭଗବାନ ଜନନୀ ଏବଂ ଜନ୍ମଭୂମିର ସମ୍ମାନ ରକ୍ଷା କରୁଛନ୍ତି ତେବେ ମାନବ ଏଥିରୁ ବାଦ୍‌ ପଡ଼ିବ କେମିତି? ତେଣୁ ମାନବ ଯେତେ ବଡ଼ ପଦପଦବୀରେ ଥାଉ ନା କାହିଁକି, ଯେତେ ଅସୁବିଧାରେ ଥାଉ ନା କାହିଁକି ନିଜର ବ୍ୟସ୍ତବହୁଳ କର୍ମମୟ ଜୀବନରୁ କିଛି ସମୟ ଆଗ୍ରହର ସହିତ ଜନନୀ ଏବଂ ଜନ୍ମଭୂମି ପାଇଁ ସମର୍ପଣ କରୁ। ଏହା ଆମ୍ଭର ପରମ କର୍ତ୍ତବ୍ୟ। ଉପରୋକ୍ତ କର୍ତ୍ତବ୍ୟ ସମ୍ପାଦନ କରୁଥିବାରୁ ଭଗବାନ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଯେଉଁଭଳି ଲୋକପ୍ରିୟ ହୋଇପାରିଛି ସେହିଭଳି ଯେଉଁବ୍ୟକ୍ତି ନିଜ ଜୀବନରେ ଉପରୋକ୍ତ କର୍ତ୍ତବ୍ୟ ସମ୍ପାଦନ କରୁଥିବେ ସେ ନିଶ୍ଚୟ ଜନପ୍ରିୟ ହୋଇ ସମାଜକୁ ଦିଗ୍‌ଦର୍ଶନ ଦେବା ସହିତ ଭଗବାନ୍‌ଙ୍କର କୃପାପାତ୍ର ହେବେ।
ଭଗବାନ୍‌ ଶ୍ରୀରାମ ତଥା ଶ୍ରୀକୃଷ୍ଣ ରାଜପଦବୀକୁ ଅଭିମଣ୍ଡିତ କରିଥିଲେ। ଅଖଣ୍ଡ କ୍ଷମତା ଏବଂ ସମସ୍ତ ରାଜବୈଭବ ତାଙ୍କ ପାଖରେ ଥାଇ ମଧ୍ୟ ଉଭୟ ଜନତାଙ୍କ ସହିତ ହିଁ ସମୟ ବିତାଉଥିଲେ। ଉଭୟ ଶ୍ରୀରାମ ଏବଂ ଶ୍ରୀକୃଷ୍ଣ ରାଜକୀୟ ସ୍ବଭାବଠାରୁ ବହୁ ଦୂରରେ ରହି ଜନସେବାରେ ବ୍ରତୀ ଥିଲେ। ଠିକ୍‌ ସେହିଭଳି ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ଭକ୍ତମାନଙ୍କର ଦୁଃଖ ବୁଝିବା ସହିତ ସପ୍ତାହବ୍ୟାପୀ ଯାତ୍ରା କରି ଭକ୍ତମାନଙ୍କ ପାଖକୁ ଯାଆନ୍ତି। ପ୍ରଭୁ ସେହି ଭକ୍ତମାନଙ୍କ ପାଖକୁ ଯାଆନ୍ତି ଯେଉଁ ଭକ୍ତମାନଙ୍କ ମଧ୍ୟରେ ଅନେକ ଥାଆନ୍ତି ପତିତ, ଦୁଃଖୀ ତଥା ବୟସର ଅପରାହ୍ଣର ଦୁର୍ବଳତା ହେତୁ ଶ୍ରୀମନ୍ଦିରକୁ ଯାଇ ନ ପାରୁଥିବା ଭକ୍ତ। ଏହି ଯାତ୍ରା ରାଜନୀତିର ଏକ ଚରମ ନିଦର୍ଶନ। ପ୍ରଭୁ ଶିକ୍ଷା ଦେଉଛନ୍ତି ଯେଉଁ ରାଜନେତା ଜନତାଙ୍କର ସୁଖଦୁଃଖକୁ ବୁଝେ ତାକୁ ହିଁ ଜନତା ଶ୍ରେଷ୍ଠ ରାଜନେତାର ସମ୍ମାନ ଦେବେ। ଆଜି ସେଇଥିପାଇଁ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ପଦକୁ ମଣ୍ଡନ କରିଛନ୍ତି। ଜୀବନର ସୃଷ୍ଟି ନୁହେଁ ପଦପଦବୀ, ସୁଖ, ସାମ୍ରାଜ୍ୟ ତଥା ଆନନ୍ଦ ସାଗରରେ ମଜ୍ଜିରହିବା ପାଇଁ ପରନ୍ତୁ ଜୀବନର ସୃଷ୍ଟି ସଂସାରରେ ନିଜର କର୍ତ୍ତବ୍ୟ ନିଷ୍ପାଦନ କରିବାପାଇଁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଏହି କର୍ତ୍ତବ୍ୟ ନିଷ୍ପାଦନର ଚରମ ନିଦର୍ଶନ।
ଉପ ନିର୍ଦ୍ଦେଶକ, ଦୂରଶିକ୍ଷା ବିଭାଗ
ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି,
ଆନ୍ଧ୍ରପ୍ରଦେଶ
ମୋ- ୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri