ବରଗଡ଼,୧୪ା୮(ପ୍ରେମାନନ୍ଦ ଖମାରୀ): ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସରକାରଙ୍କ ନୂତନ ପଞ୍ଜୀକରଣ ନୀତିକୁ ବିରୋଧ ଗୁରୁବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନ ରାସ୍ତାରୋକୋ ଆନ୍ଦୋଳନକୁ ଓହ୍ଲାଇଥିଲା। ତେବେ ପୋଲିସ ସେଠାକୁ ପହଞ୍ଚି ସମସ୍ତ ଚାଷୀ ଏବଂ ଚାଷୀନେତାଙ୍କୁ ଉଠାଇ ନେଇଛି। ବରଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ସେମାନଙ୍କୁ ଅଟକ ରଖାଯାଇଛି। ତେବେ ଅଟକ ରହିଥିବା ପୋଲିସ ପଡ଼ିଆରେ ଚାଷୀଙ୍କ ପ୍ରତିବାଦ ସଭା ଚାଲିଛି। ସେଠାକୁ କେତେକ ଚାଷୀ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ କାଗଜାତ ମଧ୍ୟ ଧରି ଯାଇଛନ୍ତି। ଏଭଳି ସ୍ଥିତିରେ ଚାଷୀମାନେ ପୋଲିସ ପଡ଼ିଆରେ ହିଁ ଚାଷୀ ପଞ୍ଜୀକରଣ ବ୍ୟବସ୍ଥା କରାଯାଉ ଏବଂ ଜିଲାର ସମସ୍ତ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ନ ସରିବା ପର୍ଯ୍ୟନ୍ତ ସେମାନେ ପୋଲିସ ପଡ଼ିଆ ଛାଡ଼ିବେ ନାହିଁ ବୋଲି ସଭାରେ ପୋଲିସ ଓ ପ୍ରଶାସନକୁ ଖୋଲା ଚେତାବନୀ ଦେଇଛନ୍ତି। ଏହା ଏବେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ସଂଯୁକ୍ତ କୃଷକ ସଂଗଠନର ଏଭଳି ଦାବି ପରେ ପୋଲିସ, ପ୍ରଶାସନର ଆଭିମୁଖ୍ୟ କିଭଳି ରହିବ, ତାହା ଦେଖିବାକୁ ବାକି ରହିଛି।


