ଭୁବନେଶ୍ୱର, ୨୩।୧: ଓଡ଼ିଶାର ଆର୍ଥିକ ବିକାଶ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ସୁଦୃଢ଼ିକରଣ ପାଇଁ ଗଠିତ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ନିଜର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଆୟୋଗର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଲୋକ ଭବନଠାରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ଭେଟି ଏହି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିଛନ୍ତି।
ଏହି ରିପୋର୍ଟରେ ରାଜ୍ୟର ପଞ୍ଚାୟତ ଏବଂ ପୌର ସଂସ୍ଥାଗୁଡ଼ିକର ଆର୍ଥିକ ଅଭାବ ଦୂର କରିବା ପାଇଁ ଅନେକ ଅଭିନବ ପରାମର୍ଶ ଦିଆଯାଇଛି। ମୁଖ୍ୟତଃ ରାଜ୍ୟ ସରକାରଙ୍କ ଟିକସକୁ ରାଜ୍ୟ, ପଞ୍ଚାୟତ ଏବଂ ପୌର ସଂସ୍ଥାଗୁଡ଼ିକ ମଧ୍ୟରେ କିଭଳି ସୁଷମ ବଣ୍ଟନ କରାଯିବ, ସେନେଇ ସୁପାରିସ କରାଯାଇଛି। ସ୍ଥାନୀୟ ସଂସ୍ଥାଗୁଡ଼ିକର ନିଜସ୍ୱ ଆୟ ବୃଦ୍ଧି ଏବଂ ଅନୁଦାନ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଜନପ୍ରତିନିଧି, ବିଶେଷଜ୍ଞ ଏବଂ ବିଭିନ୍ନ ବିଭାଗ ସହ ଆଲୋଚନା କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
୨୦୨୫ ଜାନୁଆରୀ ୨୨ରେ ଗଠିତ ଏହି ଆୟୋଗରେ ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପ୍ରଫେସର ଅମରେଶ ସାମନ୍ତରାୟ ଏବଂ ଡ. ବିଭୁ ପ୍ରସାଦ ନାୟକ ସଦସ୍ୟ ଭାବେ ରହିଥିବା ବେଳେ ଡ. ସତ୍ୟପ୍ରିୟ ରଥ ସଦସ୍ୟ ସଚିବ ଦାୟିତ୍ୱ ତୁଲାଉଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ଦାଖଲ କରିଥିବାରୁ ରାଜ୍ୟପାଳ ଆୟୋଗକୁ ଅଭିନନ୍ଦନ ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୮ରେ ଗଠିତ ପଞ୍ଚମ ଅର୍ଥ ଆୟୋଗ ରାଜ୍ୟର ନିଜସ୍ୱ ଟିକସର ୧୦ ପ୍ରତିଶତ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଦେବାକୁ ପରାମର୍ଶ ଦେଇଥିଲେ। ଏଥିସହ ପ୍ରାଥମିକ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ଆକାଉଣ୍ଟାଣ୍ଟ ଓ ଡିଇଓ (DEO) ନିଯୁକ୍ତି ପାଇଁ ସୁପାରିସ କରାଯାଇଥିଲା। ଷଷ୍ଠ ଆୟୋଗଙ୍କ ଏହି ନୂତନ ରିପୋର୍ଟ ଆଗାମୀ ଦିନରେ ରାଜ୍ୟର ତୃଣମୂଳ ସ୍ତରର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।