ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବେଲଗୁଣ୍ଠା ଟାଟା ପାୱାର ବିଦ୍ୟୁତ ସେକ୍ସନ ରେ ଏଜେନ୍ସି ମାଧ୍ୟମରେ କାର୍ଯ୍ୟରତ ଥିବା ହେଲପର ବଳରାମ ସାହୁ ଗତ ୧୧ ତାରିଖରେ ବିଦୁତ୍ ଖୁଣ୍ଟରେ ଚଢ଼ି କାମ କରୁଥିବାବେଳେ ଖୁଣ୍ଟରୁ ତଳେ ପଡି ଗୁରୁତର ଭାବେ ଆହତ ହୋଇଥିଲେ। ସୋମବାର ବ୍ରହ୍ମପୁରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବଳରାମ ମୃତ୍ୟୁବରଣ କରିଛନ୍ତି। ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଶୋକରଛାୟା ଖେଳିଯାଇଛି। ଏଥିସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ତାଙ୍କ ପରିବାରର ଜଣଙ୍କୁ ଥଇଥାନ ପାଇଁ ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଙ୍ଘ ପକ୍ଷରୁ ଆଜି ସନ୍ଧ୍ୟାରେ ଦାବି କରାଯାଇଛି ।
ଏନେଇ ସଂଘର ରାଜ୍ୟ କର୍ମକର୍ତ୍ତା ସତ୍ୟବ୍ରତ ପରିଡ଼ା ଭଞ୍ଜନଗର ଅଧିକ୍ଷଣଯନ୍ତ୍ରୀ ଅଭିଜିତ ପାଢ଼ୀଙ୍କୁ ଭେଟି ସହାୟତା ପ୍ରଦାନ ଏବଂ ତାଙ୍କ ପରିବାରର ଜଣକୁ ଥଇଥାନ ପାଇଁ ଦାବି କରିଥିଲେ। ଅପରପକ୍ଷେ ଏଜେନ୍ସି ପକ୍ଷରୁ ବଳରାମଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯିବା ସହ ଆଜି ମୃତ୍ୟୁବରଣ କରିବା ପରେ ଆଉ କିଛି ଆର୍ଥିକ ସହାୟତା ତାଙ୍କ ପରିବାରକୁ ଯୋଗାଇ ଦେବାପାଇଁ ପଦକ୍ଷେପ ନିଆଯାଇଛି। ଏଥିସହ ବୀମା କମ୍ପାନୀ ପକ୍ଷରୁ ମଧ୍ୟ ବୀମା ବାବଦକୁ ୧୫ ଲକ୍ଷ ଟଙ୍କା ଦେବା ବ୍ୟବସ୍ଥା କରାଯାଉଛି ।
ସୂଚନାଯୋଗ୍ୟ ଯେ, ଶୁନ ଦୁର୍ଘଟଣା ପାଇଁ ଟାଟା ପାୱାର ପକ୍ଷରୁ ବାରମ୍ବାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ତଥାପି ଦୁର୍ଘଟଣାହାର କମିବାକୁ ନାହିଁ। ଏହିଭଳି ପରିସ୍ଥିତିରେ ବଳରାମ ଘଟଣା ଦିନ ଖୁଣ୍ଟକୁ ଚଢ଼ି କାମ କରୁଥିବାବେଳେ କେଉଁଭଳି ପରିସ୍ଥିତି ରେ ଖସି ପଡ଼ିଥିଲେ। ଅପରପକ୍ଷେ ଆଲୋଚନା ସଫଳ ହେବାପରେ କର୍ମଚାରୀ ମାନେ ଫେରିଯାଇଛନ୍ତି। ରାତିରେ ବ୍ରହ୍ମପୁରରୁ ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ତାଙ୍କ ଗ୍ରାମ ପାଇଲିପଡ଼ାରେ ଅନ୍ତିମ ସତ୍କାର ହେବ ବୋଲି ଜଣେ କର୍ମଚାରୀ ଏଠାରେ ସୂଚନା ଦେଇଛନ୍ତି। ଆଲୋଚନା ସମୟରେ ସଙ୍ଘର ଭଞ୍ଜନଗର କର୍ମକର୍ତ୍ତା କବିରାଜ ପ୍ରଧାନ, ହର ପ୍ରସାଦ ବିଷୋୟୀ, ମୁନା ପାତ୍ର ଓ ରବି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


