ଭବାନୀପାଟଣା,୨୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଚାଷୀ ଉପର ଇନ୍ଦ୍ରାବତୀ ବିଦ୍ୟୁତ୍ ପ୍ରକଳ୍ପ ଉପରେ ନିର୍ଭରଶୀଳ। ଏହି ପ୍ରକଳ୍ପ ହେବା ଦ୍ୱାରା ଶହ ଶହ ହେକ୍ଟର ଚାଷ ଜମିରେ ଜଳସେଚନ ହେବା ସହ ୬୦୦ ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳ ସର୍ବନିମ୍ନ ସ୍ତରକୁ ଛୁଇଁବାକୁ ଯାଉଛି। ଆଗାମୀ ଦିନରେ ଯଦି ପର୍ଯ୍ୟାପ୍ତ ବର୍ଷା ନ ହୁଏ, ତାହାହେଲେ ସ୍ଥିତି ବିଗିଡିବ। ମୌସୁମୀ ଅପେକ୍ଷାରେ ଇନ୍ଦ୍ରାବତୀ ରହିଥିବା ମନେହେଉଛି। ବିଗତ ବର୍ଷମାନଙ୍କରେ ଚାଷ ଜମିପାଇଁ ଜଳସଂକଟର ଚିତ୍ର କଳାହାଣ୍ଡି ଜିଲାରେ ଯାହା ଥାଉନା କାହିଁକି ବର୍ତ୍ତମାନ ସମୟରେ ଶସ୍ୟଶ୍ୟାମଳ ହୋଇପାରିଛି। ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ଘଟିଛି। ୪ଟି ଚିରସ୍ରୋତା ନଦୀ ତଥା ମୁରାନ, ପୋଡ଼ାଗଡ଼, ଇନ୍ଦ୍ରାବତୀ ଓ କପୁରକୁ ନେଇ ଇନ୍ଦ୍ରାବତୀ ଜଳଭଣ୍ଡାର ସୃଷ୍ଟି ହୋଇଥିବାବେଳେ ଏହାର କ୍ୟାଚମେଣ୍ଟ ଏରିଆ ୨୬୩୦ବର୍ଗ କି.ମି. ଏବଂ ଜଳଧାରଣ କ୍ଷମତା ୬୪୨ମିଟର ରହିଛି। ତେବେ ବର୍ତ୍ତମାନ ମୂର୍ତ୍ତିକା କ୍ଷୟ ଇନ୍ଦ୍ରାବତୀ ଜଳଭଣ୍ଡାର ଇନଟେକ ୱେଲ ପାଖରେ ପଙ୍କ ଜମା ହେବା ଫଳରେ ଦିନକୁ ଦିନ ଜଳଧାରଣ କ୍ଷମତା କମି ଯାଉଛି। ୨୦୨୨ ମସିହାରେ ୨୫କୋଟି ଟଙ୍କା ବ୍ୟୟରେ ପଙ୍କ ଉଦ୍ଧାର କାର୍ଯ୍ୟକୁ ହାତକୁ ନିଆଯାଇଥିଲା। କିନ୍ତୁ କେତେଦୂର ଫଳପ୍ରଦ ହୋଇଛି ତାହା ବର୍ତ୍ତମାନର ସ୍ଥିତି ସୂଚେଇଦେଉଛି। ବର୍ତ୍ତମାନ ଜଳପତ୍ତନ ମାତ୍ର ୬୨୭ମିଟର ରହିଛି। ଜଳପତ୍ତନ ସର୍ବନିମ୍ନ ସ୍ତର ୬୨୫ମିଟର। ଏହି ସମୟରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଘୋର ପ୍ରଭାବିତ ହେଉଥିବା କୁହାଯାଇଛି। କେତେବେଳେ ୧୫୦ ପୁଣି କେବେ ୧୮୦ ଏପରିକି ୧୦୦ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ରେକର୍ଡ ରହିଛି। ଓଏଚପିସି. ପକ୍ଷରୁ କୁହାଯାଇଛି ଯେ, ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ନହେଲେ ପାୱାର ଜେନେରେସନ ପ୍ରଭାବିତ ହେବ। ଚଳିତମାସ ୧୬ ତାରିଖରୁ ପାୱାର ଜେନେରେସନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଜଳଭଣ୍ଡାର ଇନ୍ଟେକ ୱେଲ ନିକଟରେ ପଟୁ ମାଟି ଜମା ହେବାର ପ୍ରମୁଖ କାରଣ। ପଙ୍କ ହୋଇଥିଲେ ହେଁ ବିଭାଗୀୟ ଯନ୍ତ୍ରୀ ଏବଂ ଦାୟିତ୍ୱ ମୁଣ୍ଡେଇଥିବା ଅଧିକାରୀମାନେ ସହଜରେ ସ୍ବୀକାର କରିବା ଅବସ୍ଥାରେ ନାହାନ୍ତି। ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସୁଦ୍ଧା ମୌସୁମୀକୁ ଭରସା କରି ଇନ୍ଦ୍ରାବତୀ ସେମିତି ରହିଛି। ଜମି ପାଇଁ ଜଳ ସଙ୍କଟକୁ ନେଇ ଗତ କିଛି ବର୍ଷ ଧରି ସେହି ସମାନ ଅଭିଯୋଗ ଚାଷୀଙ୍କଠାରୁ ଶୁଣିବାକୁ ମିଳୁଛି। ପ୍ରତିବର୍ଷ ଜଳଭଣ୍ଡାର ଓ କେନାଲଗୁଡିକର ରକ୍ଷଣାବେକ୍ଷଣ ଓ ମରାମତି ହେଉଛି। ଜଳଧାରଣ କ୍ଷମତା ନିଶ୍ଚିତ ବଢିବା କଥା କିନ୍ତୁ ତାହା ହେଉନାହିଁ। ଇନ୍ଦ୍ରାବତୀ ନଦୀ ଅବବାହିକାରେ ଜଙ୍ଗଲ ନଷ୍ଟ ହେବା ସହ ମୃତ୍ତିକା ଅବକ୍ଷୟ ହେତୁ ଜଳଭଣ୍ଡାର ଧୀରେ ଧୀରେ ପୋତି ହେଉଛି। ଅନେକ ନଦୀ, ଶତାଧିକ ନାଳ, ଝରଣାର ଜଳ ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାର ନିଜ ସ୍ଥିତିକୁ ବଞ୍ଚେଇ ରଖିଆସିଛି। ତେବେ ଏହି ନଦୀ, ନାଳ, ଝରଣା ଅବବାହିକାରେ ବନବିଭାଗ ପକ୍ଷରୁ ବୃକ୍ଷ ରୋପଣ ହେବା ସହ ଚତୁଃପାର୍ଶ୍ୱରେ ପଥର ପ୍ୟାଚିଙ୍ଗ କାର୍ଯ୍ୟକୁ କଡାକଡି କରାଯିବାର ଯଥେଷ୍ଠ ଆବଶ୍ୟକତାକୁ ବନ ବିଭାଗ ଠିକ ସେ ଅନୁଭବ କରିପାରୁନି। ଏହି ଜଳଭଣ୍ଡାର ପରିଚାଳନା ଦାୟିତ୍ୱରେ ଖତିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ଡିଭିଜନ ରହିଛି। ବର୍ଷା ହେଲେ ଜଳସ୍ତର ବୃଦ୍ଧିପାଇବ ହେଲେ ଜଳଧାରଣ କ୍ଷମତା ବୃଦ୍ଧି ପ୍ରତି ଅଧିକମାତ୍ରାରେ ଦୃଷ୍ଟିଦେବାର ସମୟ ଆସିଛି ବୋଲି ସାଧାରଣ ଲୋକଙ୍କ ଦ୍ୱାରା ମତ ପ୍ରକାଶ ପାଇଛି। ଦକ୍ଷିଣ ଓ ବାମ ମୁଖ୍ୟ କେନାଲରେ ଲାଇନିଂ ଓ ପୁନଃରୁଦ୍ଧାର କାର୍ଯ୍ୟ କରାଯିବା ସହିତ ଇନ୍ଦ୍ରାବତୀ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ହେବା ଫଳରେ ଅଣ ଜଳସେଚିତ ଅଞ୍ଚଳ ଓ ଆଦୌ ପାଣି ମାଡୁନଥିବା ଜମିରେ ପାଣି ପହଁଞ୍ଚି ପାରିଛି ବୋଲି ବିଭାଗୀୟ ଯନ୍ତ୍ରୀ କହୁଛନ୍ତି। ମୋଟାମୋଟି ଭାବେ ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଜରିଆରେ ୧୧୮୯୯୨ ହେକ୍ଟର ଜମିକୁ ଜଳ ଯୋଗାଇବାରେ ସମର୍ଥ ହୋଇଛି। ଓଡିଶାକୁ ମୌସୁମୀ ଛୁଇଁବ, ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳପତ୍ତନ ବୃଦ୍ଧି ହେବ। କଳାହାଣ୍ଡିର ଚାଷୀଙ୍କ କ୍ଷେତ୍ରରେ ଏହା ଯେମିତି ନିୟମିତ ଅପେକ୍ଷା କରିବାର ପରମ୍ପରା ହୋଇଗଲାଣି। ଆଗାମୀ ଦିନରେ ପର୍ଯ୍ୟାପ୍ତ ବର୍ଷା ନ ହେଲେ ପାୱାର ଜେନେରେସନ ପ୍ରଭାବିତ ହେବା ସହିତ ଜମିକୁ ଜଳ ଯୋଗାଣ ଅନିଶ୍ଚିତତା ଭିତରେ ଗତିକରିବ ବୋଲି ଆଶଙ୍କା କରାଯାଉଛି।