ଇଣ୍ଡିଗୋ ବିମାନ ବାତିଲ୍; ନିଜ ରିସେପ୍ସନ୍‌ରେ ଅନ୍‌ଲାଇନ୍ ସାମିଲ ହେଲେ ଓଡ଼ିଶାର ଏହି ଦମ୍ପତି

ଭୁବନେଶ୍ୱର,୫।୧୨: ବିମାନ ବାତିଲ୍ ଯୋଗୁଁ କର୍ଣ୍ଣାଟକର ହୁବଳିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଇଣ୍ଡିଗୋ ଏୟାରଲାଇନ୍ସର ବ୍ୟାପକ ବିମାନ ବାତିଲ୍ ହେତୁ ଜଣେ ନବ ବିବାହିତ ଦମ୍ପତି ହୁବଳିରେ ନିଜ ରିସେପ୍ସନ୍‌ରେ ପହଞ୍ଚି ନପାରି ଶେଷରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ।

ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିବା ହୁବଳିର ମେଧା କ୍ଷୀରସାଗର ଏବଂ ଓଡ଼ିଶାର ଭୁବନେଶ୍ୱରର ସଙ୍ଗମ ଦାସ ଉଭୟ ସଫ୍ଟୱେୟାର ଇଞ୍ଜିନିୟର ନଭେମ୍ବର ୨୩ ତାରିଖରେ ଭୁବନେଶ୍ୱରରେ ବିବାହ କରିଥିଲେ। ଡିସେମ୍ବର ୩ ତାରିଖରେ କନ୍ୟାଙ୍କ ଜନ୍ମସ୍ଥାନ ହୁବଳିର ଗୁଜରାଟ ଭବନରେ ସେମାନଙ୍କର ରିସେପ୍ସନ୍ କାର୍ଯ୍ୟକ୍ରମ ରଖାଯାଇଥିଲା।

ଡିସେମ୍ବର ୨ ତାରିଖରେ ଏହି ଦମ୍ପତି ଭୁବନେଶ୍ୱରରୁ ବେଙ୍ଗାଲୁରୁ ଦେଇ ହୁବଳି ଯିବା ପାଇଁ ଟିକେଟ୍ ବୁକ୍ କରିଥିଲେ। କିନ୍ତୁ ବିମାନଗୁଡ଼ିକ ବାରମ୍ବାର ବିଳମ୍ବ ହେବା ପରେ ଡିସେମ୍ବର ୩ ତାରିଖ ସକାଳେ ଶେଷରେ ବିମାନ ବାତିଲ ହୋଇଯାଇଥିଲା। ପାଇଲଟ୍ ଅଭାବ ଏବଂ ଅପରେସନାଲ୍ ସମସ୍ୟା ଯୋଗୁଁ ଇଣ୍ଡିଗୋ ଦେଶବ୍ୟାପୀ ଶତାଧିକ ବିମାନ ବାତିଲ୍ କରିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥିଲା।

ରିସେପ୍ସନ୍ ଆୟୋଜନ ହୋଇସାରିଥିବା ଏବଂ ଅତିଥିମାନେ ପହଞ୍ଚି ସାରିଥିବାରୁ କନ୍ୟାଙ୍କ ପରିବାର ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ କରିପାରି ନ ଥିଲେ। ତେଣୁ ଭୁବନେଶ୍ୱରରେ ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇ ଦମ୍ପତି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରିସେପ୍ସନ୍‌ରେ ଯୋଗ ଦେଇଥିଲେ। କନ୍ୟାଙ୍କ ବାପାମାଆ ଦମ୍ପତିଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ବସି ରୀତିନୀତି ସମ୍ପାଦନ କରିଥିଲେ।

ସୂଚନାଯୋଗ୍ୟ ଇଣ୍ଡିଗୋ ଦୈନିକ ୨,୨୦୦ ବିମାନ ଚଳାଚଳ କରୁଥିବା ବେଳେ ଗୁରୁବାର ଏହାର ଇତିହାସରେ ସର୍ବାଧିକ ୫୦୦ରୁ ଅଧିକ ବିମାନ ବାତିଲ୍ କରିଥିଲା। ଏହି ସମସ୍ୟା ଡିସେମ୍ବର ୮ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ଏୟାରଲାଇନ୍ସ କହିଛି।

Share