ନୂଆଦିଲ୍ଲୀ,୧୧।୧: ଦେଶରେ ବଢୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ସ୍ମାର୍ଟଫୋନ୍ ସୁରକ୍ଷା ପାଇଁ ନୂଆ ନିୟମ ଆଣିବେ ଭାରତ ସରକାର। ଏହି ନିୟମ ଅନୁସାରେ ସ୍ମାର୍ଟଫୋନ ନିର୍ମାତାମାନଙ୍କୁ ସେମାନଙ୍କର ଅପରେଟିଂ ସିଷ୍ଟମର ‘ସୋର୍ସ କୋଡ୍’ ସରକାରୀ ଲ୍ୟାବ୍ରେ ଜମା କରିବାକୁ କୁହାଯାଇଛି।
ଅନ୍ୟପଟେ ଏହି ପ୍ରସ୍ତାବିତ ନୂଆ ନିୟମାବଳୀକୁ ନେଇ ବିଶ୍ୱର ବଡ଼ ବଡ଼ କମ୍ପାନୀ ଯଥା ଆପଲ୍ ଏବଂ ସମସଙ୍ଗ ମଧ୍ୟରେ ଚିନ୍ତା ବଢ଼ିଛି। ସାଇବର ଅପରାଧ ରୋକିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଉଥିବା ବେଳେ କମ୍ପାନୀଗୁଡ଼ିକ ଏହାକୁ ନିଜର ବ୍ୟବସାୟିକ ଗୋପନୀୟତା ଉପରେ ଏକ ବଡ଼ ଆହ୍ୱାନ ବୋଲି ମନେ କରୁଛନ୍ତି।
ତେବେ ସରକାର ଚାହୁଁଛନ୍ତି ଯେ, ସ୍ମାର୍ଟଫୋନ୍ ନିର୍ମାତାମାନେ ସେମାନଙ୍କର ଅପରେଟିଂ ସିଷ୍ଟମର ‘ସୋର୍ସ କୋଡ୍’ ସରକାରୀ ଲ୍ୟାବ୍ରେ ଯାଞ୍ଚ ପାଇଁ ଜମା କରନ୍ତୁ। ଏହା ଦ୍ୱାରା ଫୋନରେ ଥିବା ସୁରକ୍ଷା ତ୍ରୁଟି ଧରାପଡ଼ିବ। ମାତ୍ର MAIT ଭଳି ଶିଳ୍ପ ସଂଗଠନ କହିଛନ୍ତି ଯେ, ଏହି ଗୋପନୀୟ ତଥ୍ୟ ଦେବା ସମ୍ଭବ ନୁହେଁ। କୌଣସି ବଡ଼ ସଫ୍ଟୱେର୍ ଅପଡେଟ୍ ବା ସୁରକ୍ଷା ପ୍ୟାଚ୍ ଜାରି କରିବା ପୂର୍ବରୁ ସରକାରଙ୍କୁ ଜଣାଇବାକୁ ପଡ଼ିବ। କମ୍ପାନୀଗୁଡ଼ିକ ମତରେ, ଏହା ଦ୍ୱାରା ଜରୁରୀକାଳୀନ ସୁରକ୍ଷା ଅପଡେଟ୍ରେ ବିଳମ୍ବ ହେବ। ପୁରୁଣା ସଫ୍ଟୱେର୍ ସଂସ୍କରଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରସ୍ତାବ ରହିଛି, ଯାହାର କୌଣସି ଆନ୍ତର୍ଜାତୀୟ ମାନଦଣ୍ଡ ନାହିଁ ବୋଲି କମ୍ପାନୀମାନେ କହିଛନ୍ତି।
ଏହି ନିୟମ ଅନୁଯାୟୀ ଫୋନ୍ ବ୍ୟବହାର ହେଉନଥିବା ସମୟରେ କୌଣସି ଆପ୍ ବ୍ୟାକଗ୍ରାଉଣ୍ଡରେ କ୍ୟାମେରା, ମାଇକ୍ରୋଫୋନ୍ କିମ୍ବା ଲୋକେସନ ବ୍ୟବହାର କରିପାରିବେ ନାହିଁ। ଏଥିପାଇଁ ସ୍କ୍ରିନ୍ରେ ସ୍ୱତନ୍ତ୍ର ଚିହ୍ନ ରହିବା ବାଧ୍ୟତାମୂଳକ। ଫୋନ୍ କିଣିବା ସମୟରେ ପୂର୍ବରୁ ଥିବା ଆପ୍ଗୁଡ଼ିକୁ ଯଦି ୟୁଜର ଚାହିଁବେ ତେବେ ଡିଲିଟ୍ କରିପାରିବେ। ଏହାକୁ ନେଇ ମଧ୍ୟ କମ୍ପାନୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସରକାରୀ ପ୍ରସ୍ତାବ ଅନୁସାରେ, ସ୍ମାର୍ଟଫୋନରେ ହେଉଥିବା ପ୍ରତିଟି ଲଗ୍-ଇନ୍ ଏବଂ ଆପ୍ ଇନଷ୍ଟଲ୍ର ରେକର୍ଡ ଗୋଟିଏ ବର୍ଷ ପର୍ଯ୍ୟନ୍ତ ରଖିବାକୁ ହେବ। ଏହା ସହିତ ନିୟମିତ ଭାବେ ଫୋନକୁ ସ୍କାନ କରିବାକୁ ପଡ଼ିବ। କମ୍ପାନୀମାନେ କହିଛନ୍ତି ଯେ ଏହା ଦ୍ୱାରା ଫୋନ୍ର ବ୍ୟାଟେରୀ ଶୀଘ୍ର ସରିବ ଏବଂ କାର୍ଯ୍ୟଦକ୍ଷତା ମଧ୍ୟ ହ୍ରାସ ପାଇବ।


