ଓ୍ବାଶିଂଟନ୍, ୨୩ା୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପକ୍ଷରୁ ଏଚ୍-୧ବି ଓ୍ବର୍କର ଭିଜାର ନୂତନ ଆବେଦନକାରୀଙ୍କ ପାଇଁ ଫିକୁ ୧ ଲକ୍ଷ ଡଲାର ବୃଦ୍ଧିର ନିର୍ଦ୍ଦେଶ ପରେ ସେଠାରେ ଥିବା ଭାରତୀୟଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏହି ଘୋଷଣାର ଠିକ୍ ପରେ ଶୁକ୍ରବାର ଆମେରିକାର ସାନ୍ଫ୍ରାନ୍ସିସ୍କୋ ବିମାନବନ୍ଦରରୁ ଭାରତ ଆସିବାକୁ ଥିବା ଏମିରେଟ୍ସର ଏକ ଫ୍ଲାଇଟ୍ରେ ଭାରତୀୟ ଯାତ୍ରୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ପରିଲକ୍ଷିତ ହୋଇଥିଲା। ବିମାନଟି ଭାରତ ଅଭିମୁଖେ ଉଡ଼ାଣ କରିବାର ଠିକ୍ ପୂର୍ବରୁ କେତେଜଣ ଭାରତୀୟ ବିମାନରୁ ଓହ୍ଲାଇ ପଡ଼ିଥିଲେ। ହଠାତ ଅନେକ ଭାରତୀୟ ଯାତ୍ରୀ ବିମାନରୁ ଓହ୍ଲାଇ ପଡ଼ିବାରୁ ପାଇଲଟ୍ ୩ ଘଣ୍ଟା ବିଳମ୍ଭରେ ବିମାନର ଉଡ଼ାଣ କରିଥିଲେ। ଉକ୍ତ ଏମିରେଟ୍ସ ବିମାନରେ ଥିବା ଯାତ୍ରୀମାନେ ସୋସିଆଲ ମିଡିଆରେ ଏହାର କିଛି ଭିଡିଓକୁ ଶେୟାର କରିଛନ୍ତି, ଯେଉଁଥିରେ ବିମାନ ମଧ୍ୟରେ ଲୋକମାନେ ଦ୍ୱନ୍ଦ୍ୱରେ ଥିବାର ଦେଖାଯାଉଛନ୍ତି। ଭିଡିଓରେ ବିମାନର କ୍ୟାପ୍ଟେନ୍ ଯାତ୍ରୀମାନଙ୍କୁ କହୁଛନ୍ତି, ବିମାନ ମଧ୍ୟରେ ପରିସ୍ଥିତି ସ୍ବାଭାବିକ ନାହିଁ। ଆପଣମାନେ ଚାହିଁଲେ ବିମାନ ଛାଡ଼ିପାରିବେ।

