ପୁରୀ ,୧୬।୧( ଅଜିତ୍ କୁମାର ମହାନ୍ତି ): ଭାରତୀୟ ହକି ଟିମର ଖେଳାଳି ଶୁକ୍ରବାର ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ହକି ଟିମର ପୂର୍ବତନ ଗୋଲକିପର ତଥା ଜୁନିୟର ଟିମର କୋଚ ପି.ଆର୍ ଶ୍ରୀଜେଶ ଏବଂ ଅନ୍ୟ ଖେଳାଳିମାନେ ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି। ପରେ ମା’ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି। ଦର୍ଶନ ସାରି ଫେରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖେଳାଳିମାନଙ୍କୁ ଠାକୁରଙ୍କ ପ୍ରସାଦ ପ୍ରଦାନ କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ କରି ବେଶ୍ ଆନନ୍ଦିତ ଥିବା କହିଛନ୍ତି ଶ୍ରୀଜେଶ। ଭାରତୀୟ ହକି ଟିମକୁ ମହାପ୍ରଭୁ ମଙ୍ଗଳ କରନ୍ତୁ ସେନେଇ କାମନା କରିଛୁ ବୋଲି ଶ୍ରୀଜେଶ କହିଛନ୍ତି ।