ମୁମ୍ବାଇ,୬ା୯:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟାରିଫ୍ ମାଡ଼ ଭାରତୀୟ ଅର୍ଥନୀତିକୁ ଘାଇଲା କରିଦେଇଥିବାବେଳେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ) ପୁଞ୍ଜିବଜାରରୁ ବିପୁଳ ନିବେଶ ପ୍ରତ୍ୟାହାର କରିବାରେ ଲାଗିଛନ୍ତି। ଏହାର ପ୍ରଭାବରେ ଟଙ୍କା ଦିନକୁ ଦିନ ନିମ୍ନଗାମୀ ହୋଇ ନୂଆ ରେକର୍ଡ ଭାଙ୍ଗୁଛି। ଏହି କ୍ରମରେ ଭାରତୀୟ ମୁଦ୍ରା ଶୁକ୍ରବାର ନିଜ ସର୍ବକାଳୀନ ତଳସ୍ତର ୮୮.୩୬କୁ ଛୁଇଁଛି। କାରବାର ଶେଷରେ ଟଙ୍କା ୦.୧୪% ଖସି ଡଲାର ତୁଳନାରେ ୮୮.୦୯ ଟଙ୍କାରେ ସ୍ଥିର ରହିଥଲା। ଏହା ପୂର୍ବରୁ ଗୁରୁବାର ସେସନ୍ରେ ଟଙ୍କାର ମୂଲ୍ୟ ୮୮.୧୪ ରହିଥିଲା। ମିଳିଥିବା ସୂଚନାନୁସାରେ ଏଫ୍ଆଇଆଇମାନେ କେବଳ ସେପ୍ଟେମ୍ବରରେ ୧.୪ ବିଲିୟନ୍ ଡଲାର ମୂଲ୍ୟର ଭାରତୀୟ ଇକ୍ୱିଟି ବିକ୍ରି କଲେଣି। ଏହାକୁ ମିଶାଇ ଚଳିତବର୍ଷ ବିଦେଶୀଙ୍କ ପ୍ରତ୍ୟାହୃତ ଅର୍ଥରାଶି ୧୬ ବିଲିୟନ୍ ଡଲାରରେ ପହଞ୍ଚତ୍ଛି। ତେବେ ଟଙ୍କାରେ ସ୍ଥିରତା ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ସରକାରୀ ବ୍ୟାଙ୍କଗୁଡ଼ିକ ଜରିଆରେ ହସ୍ତକ୍ଷେପ କରିଥିବା କୁହାଯାଉଛି। ଭାରତୀୟ ସାମଗ୍ରୀଗୁଡ଼ିକର ଆମଦାନୀ ଉପରେ ଆମେରିକୀୟ ଟାରିଫ୍ ଯୋଗୁ ଏହି ସ୍ଥିତି ଜାରି ରହିଲେ ଟଙ୍କା ଆହୁରି ଦୁର୍ବଳ ହେବ ବୋଲି ଅର୍ଥନୀତିଜ୍ଞ ଓ ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।


