ବାରବାଟୀ T20 ମ୍ୟାଚ୍ ଟିକେଟ୍: ବିକ୍ରି ହେବ ୨୩,୦୦୦ରୁ ଅଧିକ ଟିକେଟ୍, ଜାଣନ୍ତୁ କେମିତି କିଣିବେ

କଟକ,୩୦।୧୧: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୯ ତାରିଖ ସନ୍ଧ୍ୟା ୭ଟାରୁ ଖେଳାଯିବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁ ପ୍ରତୀକ୍ଷିତ T20 ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଡିସେମ୍ବର ୧ ଅର୍ଥାତ ସୋମବାର ଠାରୁ ଆରମ୍ଭ ହେବ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅନୁବନ୍ଧିତ ୟୁନିଟ୍, ଅନ୍‌ଲାଇନ୍ ଏବଂ ବକ୍ସ ଅଫିସ୍ (ଅଫଲାଇନ୍) ବିକ୍ରିକୁ ମିଶାଇ ମୋଟ ୨୩,୦୦୦ରୁ ଅଧିକ ଟିକେଟ୍ ବିକ୍ରି କରାଯିବ।

ଏଥିରେ ଅନଲାଇନ୍, ଅଫିଲିଏଟେଡ୍ ୟୁନିଟ୍ ଏବଂ ବକ୍ସ ଅଫିସ୍ ଟିକେଟ୍ ସାମିଲ ରହିଛି। ଅନଲାଇନ୍‌ରେ କେବଳ ପ୍ରାୟ ୨୦୦୦ ଟିକେଟ୍ Zomato ମାଧ୍ୟମରେ ବିକ୍ରି କରାଯିବ। ଅନଲାଇନ୍ ଟିକେଟ୍ ଡିସେମ୍ବର ୮ରେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଏବଂ ଡିସେମ୍ବର ୯ରେ ସକାଳ ୯ଟାରୁ ଅପରାହ୍ନ ୧ଟା Cambridge School ଠାରେ ରିଡିମ୍ କରାଯାଇ ପାରିବ।

ଅଫିଲିଏଟେଡ୍ ୟୁନିଟ୍‌ମାନଙ୍କ ପାଇଁ SBI ଦ୍ୱାରା OCA କନଫରେନ୍ସ ହଲ୍‌ରେ ଡିସେମ୍ବର ୩ ଓ ୪ ତାରିଖରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଟିକେଟ୍ ବିକ୍ରି ହେବ। ସାଧାରଣ ଲୋକଙ୍କ ପାଇଁ ବାରବାଟୀ ଷ୍ଟାଡିୟମ୍ କାଉଣ୍ଟରରେ ଡିସେମ୍ବର ୫ ତାରିଖରୁ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ ଏବଂ ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍ ବୈଧ ପରିଚୟପତ୍ର ସହ କିଣିପାରିବେ। ଟିକେଟର ମୂଲ୍ୟ ଗ୍ୟାଲେରୀ ୭୦୦ ଟଙ୍କାରୁ ଆରମ୍ଭ ହୋଇ କର୍ପୋରେଟ୍ ବକ୍ସ ପାଇଁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ସୁରକ୍ଷା ଓ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ଅଭ୍ୟାସ ଦେଖିବା ପାଇଁ ଗ୍ୟାଲେରୀ ନମ୍ବର ୬ ଓ ୭ ସାଧାରଣ ଜନତାଙ୍କ ପାଇଁ ଖୋଲାଯିବ। ଦର୍ଶକଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଖାଦ୍ୟ ଷ୍ଟଲ୍ ଉପଲବ୍ଧ କରାଯିବ। ଦର୍ଶକଙ୍କ ସୁବିଧା ପାଇଁ କଟକରେ ତିନୋଟି ଫାନ୍ ପାର୍କ (ଉପର ବାଲିଯାତ୍ରା ପଡ଼ିଆ, ତଳ ବାଲିଯାତ୍ରା ପଡ଼ିଆ ଏବଂ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ୍) ସ୍ଥାପନ କରାଯିବ। ଉଭୟ ଦଳ ଡିସେମ୍ବର ୭ ତାରିଖରେ ଆସି ପରଦିନ ଅଭ୍ୟାସ କରିବେ ଏବଂ ମ୍ୟାଚ୍ ଦିନ ଦର୍ଶକଙ୍କ ପାଇଁ ଗେଟ୍ ମ୍ୟାଚ୍ ଆରମ୍ଭ ହେବାର ୩ ଘଣ୍ଟା ପୂର୍ବରୁ ଖୋଲାଯିବ।

Share