ନୂଆଦିଲ୍ଲୀ,୪।୧: ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ। ଏଥିପାଇଁ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି। ଏନେଇ ନିଜେ ଅପଡେଟ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି ଯେ ଭାରତ ୨୦୩୬ ଅଲିମ୍ପିକ୍ସ ଗେମ୍ସ ଆୟୋଜନ କରିବା ପାଇଁ ପୂର୍ଣ୍ଣ ଶକ୍ତିରେ ପ୍ରସ୍ତୁତି କରୁଛି।
୭୨ତମ ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ର ଉଦ୍ଘାଟନୀ ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ବିଗତ ଦଶନ୍ଧିରେ ଦେଶର ବିଭିନ୍ନ ସହରରେ U-17 ଫିଫା ବିଶ୍ୱକପ୍, ହକି ବିଶ୍ୱକପ୍ ଏବଂ ବଡ଼ ଚେସ୍ ଟୁର୍ଣ୍ଣାମେଣ୍ଟ ସମେତ ୨୦ରୁ ଅଧିକ ପ୍ରମୁଖ ଆନ୍ତର୍ଜାତିକ ଇଭେଣ୍ଟ ଅନୁଷ୍ଠିତ ହୋଇଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ୨୦୩୦ କମନୱେଲଥ୍ ଗେମ୍ସ ଏବଂ ତା’ପରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି।
ଜାନୁଆରୀ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଭଲିବଲ୍ ଚାମ୍ପିଅନସିପ୍ରେ ଦେଶର ୫୮ଟି ଦଳରୁ ୧,୦୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ। ବାରାଣସୀରେ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ଦ୍ୱାରା ଏହି ସହରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।


