
ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ଯୋଗୁ କେନ୍ଦ୍ର ସରକାର ମେ’୧୫ ସକାଳ ୫.୨୯ ପର୍ଯ୍ୟନ୍ତ ଦେଶର ୨୪ ବିମାନବନ୍ଦରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରେଶନ ସିନ୍ଦୂର’ ଅନୁଯାୟୀ ଭାରତର ପ୍ରତିଶୋଧମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ପାକିସ୍ତାନ ଦ୍ୱାରା ଡ୍ରୋନ ଆକ୍ରମଣର ବିଫଳ ପ୍ରୟାସ ପରେ ଏହି ପଦକ୍ଷେପ ନିଆଯାଇଛି।
ପୂର୍ବରୁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ବିମାନବନ୍ଦରଗୁଡ଼ିକୁ ମେ ୧୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଥିଲା। ଏବେ ଏହାକୁ ଏବେ ବୃଦ୍ଧି କରାଯାଇଛି। ଯେଉଁ ବିମାନବନ୍ଦରଗୁଡ଼ିକରେ ବିମାନ ଚଳାଚଳ ସ୍ଥଗିତ ରହିବ ସେଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼, ଶ୍ରୀନଗର, ଅମୃତସର, ଲୁଧିଆନା, ଭୁନ୍ତର, କିଶନଗଡ଼, ପଠାନକୋଟ, ଜମ୍ମୁ, ଶିମଲା, ଜୈସଲମେର, ବିକାନେର, ଲେହ ଏବଂ ପୋରବନ୍ଦର ଭଳି ରଣନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନ ଅନ୍ତର୍ଭୁକ୍ତ ରହିଛି।
ଏହି ନିଷ୍ପତ୍ତି ପରେ, ଏୟାର ଇଣ୍ଡିଆ, ଇଣ୍ଡିଗୋ ସମେତ ଅନେକ ପ୍ରମୁଖ ଏୟାରଲାଇନ୍ସ ଯାତ୍ରୀମାନଙ୍କ ପାଇଁ ଯାତ୍ରା ପରାମର୍ଶ ଜାରି କରିଛନ୍ତି। ଏୟାର ଇଣ୍ଡିଆ X (ପୂର୍ବରୁ ଟୁଇଟର) ରେ କହିଛି ଯେ ଅମୃତସର, ଚଣ୍ଡିଗଡ଼, ଭୁଜ, ଜାମନଗର, ଦିଲ୍ଲୀ, ଶ୍ରୀନଗର, ଲେହ, ଯୋଧପୁର ଏବଂ ରାଜକୋଟ ଭଳି ଷ୍ଟେଶନଗୁଡ଼ିକୁ ସଂଯୋଗ କରୁଥିବା ବିମାନଗୁଡ଼ିକ ମେ’ ୧୫ ମଇ ସକାଳ ୫.୨୯ ପର୍ଯ୍ୟନ୍ତ ବାତିଲ ରହିବ। ଟିକେଟ ବାତିଲ ଉପରେ ଯାତ୍ରୀମାନଙ୍କୁ ପୂର୍ଣ୍ଣ ଫେରସ୍ତ କିମ୍ବା ଥରେ ମାଗଣା ପୁନଃବୁକିଂର ସୁବିଧା ଦିଆଯାଉଛି।
ଇଣ୍ଡିଗୋ ଏୟାରଲାଇନ୍ସ ଏହା ମଧ୍ୟ କହିଛି ଯେ ଶ୍ରୀନଗର, ଜମ୍ମୁ, ଅମୃତସର, ଚଣ୍ଡିଗଡ଼, ଲେହ, ଧର୍ମଶାଳା, ବିକାନେର, ରାଜକୋଟ, ଯୋଧପୁର ଏବଂ କିଶନଗଡ଼କୁ ସମସ୍ତ ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବରେ ବନ୍ଦ କରାଯିବ।
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁ ଶୁକ୍ରବାର ଦିନ ୬୬ଟି ଘରୋଇ ଏବଂ ୫ଟି ଅନ୍ତର୍ଜାତୀୟ ବିମାନ ବାତିଲ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ପରିବର୍ତ୍ତନଶୀଳ ଏୟାରସ୍ପେସ ପରିସ୍ଥିତି ଏବଂ ବର୍ଦ୍ଧିତ ସୁରକ୍ଷା ପ୍ରୋଟୋକଲ ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହେଉଛି, ଯଦିଓ ବିମାନବନ୍ଦରରେ ସାଧାରଣ ସେବା ଜାରି ରହିଛି।
In the prevailing situation, we urge all travellers to stay informed.
Please review our latest travel advisory before your journey: https://t.co/7qd19mJhxy
— Air India (@airindia) May 9, 2025
କହିରଖୁଛୁ,ଏପ୍ରିଲ ୨୨ରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ, ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ବହୁତ ସତର୍କ ଅଛନ୍ତି। ଏହି ଆକ୍ରମଣ ପଛରେ ଭାରତ ପାକିସ୍ତାନ ଉପରେ ସୀମାପାର ଆତଙ୍କବାଦର ଅଭିଯୋଗ ଆଣିଛି, ଯାହାକୁ ଇସଲାମାବାଦ ପ୍ରତ୍ୟାଖ୍ୟାନ କରିଛି। ସେବେଠାରୁ, ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ଦ୍ୱାରା ଡ୍ରୋନ ଆକ୍ରମଣ ଏବଂ ଗୁଳିବର୍ଷଣ ଘଟଣା ବୃଦ୍ଧି ପାଇଛି, ଯାହାକୁ ଭାରତୀୟ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ଭାବରେ ପଣ୍ଡ କରିଦେଇଛି। ଗୁରୁବାର ଦିନ, ପାକିସ୍ତାନ ଡ୍ରୋନ ବ୍ୟବହାର କରି ଭାରତର ୩୬ ଟି ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଭାରତ ଏହାକୁ ବିଫଳ କରିଥିଲା। ଶୁକ୍ରବାର ମଧ୍ୟ ପାକିସ୍ତାନ ସମାନ କାମ କରୁଛି।