ପାଳନ ହେବ ସ୍ବାଧୀନତା ଦିବସ: ପରେଡ୍‌ ପଡ଼ିଆ ପରିଦର୍ଶନ କଲେ ବିଡିଓ, ଯନ୍ତ୍ରୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): ଆଉ ମାତ୍ର ୧୫ ଦିନର ସମୟ ରହିଲା। ସାରା ଦେଶ ପାଳନ କରିବ ସ୍ବାଧୀନତା ଦିବସ। ସବୁଠି ଶୁଭିବ ଜାତୀୟ ସଙ୍ଗୀତ। ନାଚି ଉଠିବେ ସମସ୍ତେ। ଜାତୀୟ ପତାକାକୁ ନେଇ ସବୁଠି ଉତ୍ସବମୁଖର ଆଉ ଏହି ଦିବସ ପାଳନ ପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି। ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଏହି ଦିବସ ପାଳନ ଦିନ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପୁରସ୍କୃତ ହେବେ। ଏଥିପାଇଁ ସେମାନେ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଥିବା ବେଳେ ଯେଉଁ ହେଲିପ୍ୟାଡ୍‌ ପଡ଼ିଆରେ ଏହି ଦିବସ ପାଳନ କରାଯିବ ଉକ୍ତ ପଡ଼ିଆରେ ସାମୁହିକ ପରେଡ୍‌ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ତେବେ ଚଳିତ ବର୍ଷାରେ ଉକ୍ତ ପଡ଼ିଆର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ପ୍ରସ୍ତୁତି ବୈଠକ ବେଳେ ପଡ଼ିଆ ମରାମତି କରାଯିବାକୁ ପ୍ରସ୍ତାବ ଆସିଥିଲା। ପ୍ରସ୍ତାବକୁ ନଜରରେ ରଖି ଶୁକ୍ରବାର ବିଡିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷେତୀଶ ପ୍ରିୟଦର୍ଶୀ ସାହୁ ଉକ୍ତ ପଡ଼ିଆର ସ୍ଥିତି ପରଖିଛନ୍ତି। ତାଙ୍କ ସହ ଜାତୀୟ ଦିବସ ପାଳନ କମିଟିର କର୍ମକର୍ତ୍ତା ତଥା ବରିଷ୍ଠ ନାଗରିକ ପତିତପାବନ ରାଉତ, ଜାଗୃତିର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ଦିଲୀପ କୁମାର ସାହୁ ଏବଂ ଭାଲୁ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Share