ଵ୍ରହ୍ମପୁର,୧୨ା୨(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ଘଟଣା ପଛର ରହସ୍ୟ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଦିନ ଗଡୁଥିବା ବେଳେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ । ହତ୍ୟା ପଛରେ ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ରହିଥିବା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ଦର୍ଶାଇଥିଲା। ତେବେ ଚାର୍ଜସିଟ୍ରେ ତାଙ୍କ ହତ୍ୟା ସମ୍ପର୍କରେ ଭିନ୍ନ ଟିଷ୍ଟ୍ ରହିଛି ।
ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ଯେ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କିଛି ଆପରିଜନକ ଫଟୋ ପୀତବାସ ରଖି ସର୍ବଜନୀନ କରିବାକୁ ପରୋକ୍ଷରେ ଧମକାଉଥିଲେ । ତେଣୁ ଏହି କାରଣରୁ ମଧ୍ୟ ତାଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିବା ପୋଲିସ ଚାର୍ଜସିଟ୍ରେ ଦର୍ଶାଇଛି । ପୋଲିସ ତଦନ୍ତ ଅନୁସାରେ ପୀତବାସ ପଣ୍ଡାଙ୍କ ଗୋଟିଏ ପେନ୍ଡ୍ରାଇଭ୍ ମିଳିଥିଲା । ସେହି ପେନ୍ ଡ୍ରାଇଭରେ କିଛି ଆପଭିଜନକ ଫଟୋ ଥିଲା। ସେହି ପଟୋ ସର୍ବସାଧାରଣ କରିବାକୁ ପୀତବାସ ପଣ୍ଡା ଧମକ ଦେଉଥିଲେ ବୋଲି ପୋଲିସ ଚାର୍ଜସିଟ୍ରେ ଉଲ୍ଲେଖ କରିଛି।
ସେପଟେ ପୀତବାସଙ୍କ ସ୍ତ୍ରୀ ପୋଲିସ ନିକଟରେ ଦେଇଥିବା ବୟାନ ଅନୁସାରେ ପୀତବାସଙ୍କ ପଇତାରେ ଲାଗିଥିବା ଗୋଟିଏ ଚାବି ପୋଲିସ ଦେଇଥିଲା । ସେହି ଚାବି ପୀତବାସ ପୀତବାସଙ୍କ ଆଲମାରୀର ସିକ୍ରେଟ୍ ଚାମ୍ବରର ଥିଲା। ସିକ୍ରେଟ୍ ଚାମ୍ବର ଖୋଲି ତାହାର ତଲାସି ନେବା ସମୟରେ ଗୋଟିଏ ଲଫାଫା ଭିତରେ ବିକ୍ରମଙ୍କର ଚାରୋଟି ଆପଭିଜନକ ଫଟୋ ସହ ଏକ ପେନ୍ଡ୍ରାଇଭ୍ ମିଳିଥିଲା। ତେବେ ଓକିଲଙ୍କ ବୟାନ ପରେ ଚର୍ଚ୍ଚା ପୁଣି ବଢ଼ିବାରେ ଲାଗିଛି ।