କେନ୍ଦୁଝର,୨୦।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ। ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ଫଳରେ ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି। ଛାତର ପ୍ଲାଷ୍ଟର ଖସି ଛାତ୍ରଙ୍କ ମୁଣ୍ଡ ଫାଟି ଯାଇଛି। ଛାତ୍ର ଜଣଙ୍କ ସାନଜିଉଳି ଗ୍ରାମର ଦିବ୍ୟାସୁଂ ମହାନ୍ତି (୧୦) ବୋଲି ଜଣା ପଡ଼ିଛି। ଛୁଟି ଖାଲିବା ପରେ ସେ ପ୍ରଥମ କରି ବିଦ୍ୟାଳୟ ଆସିଥିଲେ। ବିଦ୍ୟାଳୟକୁ ପ୍ରବେଶ କରିବା ସମୟରେ ହଠାତ୍ ଛାତରୁ ପ୍ଲାଷ୍ଟର ଖସିପଡ଼ି ତାଙ୍କ ମୁଣ୍ଡ ଉପରେ ପଡିଥିଲା। ତେବେ ବିଦ୍ୟାଳୟରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ବେଦାୟିତ୍ୱ ଭାବେ ଛାତ୍ରଙ୍କ କୈାଣସି ଚିକିତ୍ସା ନ କରି ଛାତ୍ରଙ୍କୁ ଘରକୁ ପଠାଇ ଦେବାରୁ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ନେଇ ବିଦ୍ୟାଳୟ ପରିସରରେ କିଛି ସମୟ ପାଇଁ ଉତେଜନା ପରିସ୍ଥିତି ହୋଇଥିଲା । ଏନେଇ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ସେ ଏନେଇ ଖବର ପାଇଛନ୍ତି। ଏହାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତିି। ସେ ମଧ୍ୟ ନିଜେ ଯାଇ ଘଟଣାର ଅନୁଧ୍ୟାନ କରିବେ।


