ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୩ା୯(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଛାତ୍ର ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢୁଥିଲେ। ଏନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇଛି।
ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟର ତାଲା ଖୋଲାଯାଇଛି ଏବଂ ଶନିବାର ସକାଳୁଆ ପାଠ ପଢ଼ାଯାଇଛି। ଛାତ୍ରୀଛାତ୍ର ନୂତନ କୋଠାରେ ହସ ଖୁସି ଓ ଆନନ୍ଦ ଉଲ୍ଲାସର ସହ ପାଠ ପଢ଼ିଛନ୍ତି। ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକମାନେ ବିଡିଓଙ୍କୁ ସାଧୁବାଦ ଜଣାଇଛନ୍ତି। ତେବେ ବିଦ୍ୟାଳୟର ରୋଷେଇଶାଳ ଓ ଅନ୍ୟାନ୍ୟ କାର୍ଯ୍ୟକୁ ପ୍ରଶାସନ ଗୁରୁତ୍ୱ ଦେଇ ମରାମତି କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ବ୍ରାହ୍ମଣୀଗାଁର ଉକ୍ତ ବିଦ୍ୟାଳୟରେ ୭ଟି ଶ୍ରେଣୀକୁ ୫ଟି କୋଠା ରହିଥିଲା। ଆଉ ୨ଟି ଶ୍ରେଣୀ କୋଠା ନିର୍ମାଣ କାର୍ଯ୍ୟ ହୋଇଥିଲେ ମଧ୍ୟ ତାଲା ପଡ଼ିଥିଲା। ଏନେଇ ଧରିତ୍ରୀ ପୋର୍ଟାଲରେ ଶୁକ୍ରବାର ଖବର ପ୍ରକାଶିତ ହେବା ପରେ ପ୍ରଶାସନ ଏହାକୁ ଗୁରୁତ୍ୱ ନେଇ ତ୍ୱରିତ ପଦକ୍ଷେପ ନେଇଥିବା ଜଣାପଡ଼ିଛି।